ଭୁବନେଶ୍ୱର: ସର୍ବଦା ସ୍ପଷ୍ଟ କଥା କହି ବିବାଦରେ ରହି ଆସିଥିବା ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ପୁଣି ଏକ ବିସ୍ଫୋରଣ କରିଛନ୍ତି । ସମ୍ବଲପୁରର ବିଧାୟକ ଦେଇଛନ୍ତି ସାଂଘାତିକ ବୟାନ। ଦିବଙ୍ଗତ ବିଜେପି ନେତା ସମୀର ଦେଙ୍କ ଶୋକ ସଭାରେ ବିଜେପିରୁ ସାଇଡ୍ ଲାଇନ୍ ହୋଇ ରହିଛି । ସମୀର ଦେଙ୍କ ସହ ଯାହ ଘଟିଥିଲା ତାହା ତାଙ୍କ ସହ ଘଟିଛି ବୋଲି କହିଛନ୍ତି। ତାଙ୍କର ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି ।
ଜୟନାରାୟଣ କହିଛନ୍ତି, ଦୁଇ ଜଣ ଯାକ ଏବିଭିପିରେ ଥିଲୁ । ଦୁହେଁ ଏବିଭିପିରୁ ତଡ଼ା ଖାଇଥିଲୁ, ବିଜେପିରୁ ମଧ୍ୟ ତଡ଼ା ଖାଇଛି। ସ୍କୁଲରୁ ଦୁଇ ତିନି ଥର ତଡ଼ା ଖାଇଛି। କଲେଜରୁ ଚାରି ପାଞ୍ଚ ଥର ତଡ଼ା ଖାଇଛି। ମୁଁ ଜଣେ ତଡ଼ାଖିଆ ଲୋକ। ସମୀର ଦେଙ୍କ ଜୀବନରେ ଯାହା ଘଟିଥିଲା, ଏବେ ତାହା ମୋ ସହ ଘଟୁଛି। ସମୀର ଦେଙ୍କୁ ଦଳ ଯେମିତି ଗୁରୁତ୍ଵ ଦେବ କଥା ତାହା ଦେଇନାହିଁ। କଟକରେ ତାଙ୍କ ବିରୋଧରେ ଲୋକ ବାରମ୍ବାର ଲଗାଯାଇଛି। ମୋ ବିରୋଧରେ ଆଜି ମଧ୍ୟ ଲୋକ ଲଗାଯାଇଛି। ମୋ ବିରୋଧରେ ଜଣେ ନିଶ୍ଚିତ ରହିବ, ଏହା ପାର୍ଟିର ଯୋଜନାବଦ୍ଧ କାର୍ଯ୍ୟକ୍ରମ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ସମୀର ମହାନ୍ତି ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ଜୟନାରାୟଣ ମିଶ୍ର ନିଜ କ୍ଷୋଭ ସହ ମନର କଥା ପ୍ରକାଶ କରିଥିଲେ।
ଜୟନାରାୟଣଙ୍କ ବୟାନ ଉପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତ, ଏ ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଏ। କାର୍ଯ୍ୟକର୍ତ୍ତାଙ୍କୁ ଉଚିତ୍ ସମ୍ମାନ ମିଳେ, କୌଣସି ପାତରଅନ୍ତର କରାଯାଏନି। ଆପଣମାନେ ଯାହା ଶୁଣିଛନ୍ତ, ସେମିତି ସେ କିଛି କହି ନାହାନ୍ତି।
ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତା ଓ ବିଧାୟକଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ସରକାର ଓ ଦଳ କିପରି ସୁରୁଖୁରୁରେ ଚଳାଯିବ, ସେ ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ସଭାରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ। ଆଉ ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶର ୨୪ ଘଣ୍ଟା ନ ଯାଉଣୁ ଜୟନାରାୟଣ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।