ମୁୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଗୋଟିଏ ସପ୍ତାହ ପରେ ଶେଷରେ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ସହମତି ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଏନସିପି ନେତା ଅଜିତ ପାୱାର ଶନିବାର ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ମିଳିବ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ସେ ସଙ୍କେତ ଦେଇଛନ୍ତି ।
ଏନସିପି ନେତା ଅଜିତ ପାୱାର କହିଛନ୍ତି ଯେ, ଦିଲ୍ଲୀରେ ମହାୟୁତି ନେତାଙ୍କ ବୈଠକରେ ସ୍ଥିର କରାଯାଇଛି ଯେ, ବିଜେପିର ମୁଖ୍ୟମନ୍ତ୍ରୀ ସହ ମିଶି ସରକାର ଗଠନ କରାଯିବ । ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ବାକି ଦୁଇ ଦଳରୁ ରହିବେ । ସରକାର ଗଠନ ପାଇଁ ପ୍ରଥମ ଥର ଏମିତି ବିଳମ୍ବ ଘଟିନି । ଏହା ପୂର୍ବରୁ ୧୯୯୯ରେ ତ ଗୋଟିଏ ମାସ ସମୟ ଲାଗିଥିଲା ।
ଏହା ପୂର୍ବରୁ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାବନକୁଲେ ଏକ୍ସରେ ପୋଷ୍ଟ କରି ଘୋଷଣା କରିଛନ୍ତି ଯେ, ଡିସେମ୍ବର ୫ ତାରିଖରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ମହାୟୁତି ସରକାରଙ୍କ ଶପଥ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲି ଆସିଥିବା କଳ୍ପନା ଜଳ୍ପନା ଉପରେ ଅଜିତ ପାୱାରଙ୍କ ବୟାନ ବିରାମ ପକାଇଥିବା କୁହାଯାଉଛି ।
ଅନ୍ୟପଟେ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟ ସେବା ବିଗିଡିଛି । ସିନ୍ଦେଙ୍କ ଘରକୁ ଡାକ୍ତରୀ ଟିମ୍ ଆସି ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜର ପୈତୃକ ଗାଁରେ ଅଛନ୍ତି ଏବଂ ସେଠାରେ ହିଁ ତାଙ୍କର ଚିକିତ୍ସା ଜାରି ରହିଛି ।