ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କଂଗ୍ରେସ ସହିତ ମେଣ୍ଟ କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ଆପ୍ କାହାରି ସହ ମେଣ୍ଟ କରିବ ନାହିଁ ଏବଂ ଏକାକୀ ନିର୍ବାଚନ ଲଢିବ । ଏହା ପୂର୍ବରୁ କଂଗ୍ରେସ ମଧ୍ୟ ଦିଲ୍ଲୀରେ ମେଣ୍ଟ କରିବା ନେଇ ସ୍ପଷ୍ଟ ଭାବେ ମନା କରିଥିଲା । କିନ୍ତୁ ଅରବିନ୍ଦ କେଜରୱାଲ ଏହା ଉପରେ କୌଣସି ଟିପ୍ପଣୀ କରି ନ ଥିଲେ । ମାତ୍ର ଆଜି ସେ ମେଣ୍ଟ ସମ୍ଭାବନାକୁ ଖାରଜ କରିଛନ୍ତି ।
ଅରବିନ୍ଦ କେଜରୱାଲ ଗତକାଲି ତାଙ୍କ ଉପରେ ହୋଇଥିବା ହମଲାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ତାଙ୍କୁ ମେଣ୍ଟ ଉପରେ ପ୍ରଶ୍ନ କରାଯାଇଥିଲା । ଆଉ ଏହାର ଜବାବ ଦେଇ କେଜରିୱାଲ କହିଛନ୍ତି ଯେ, ରାଜଧାନୀରେ ଆପ୍ କାହା ସହ ମେଣ୍ଟ କରିବ ନାହିଁ । ନିଜ ଦମରେ ଏକାକୀ ନିର୍ବାଚନ ଲଢିବ । କେଜରିୱାଲଙ୍କ ବୟାନ ଏମିତି ସମୟରେ ଆସିଛି ଯେବେ ଆସନ୍ତା ବର୍ଷ ଆରମ୍ଭରୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନ ୭୦ ବିଧାନସଭା ଆସନରୁ ଆପ୍ ପାଖରେ ୬୨ ସିଟ୍ ରହିଛି ।
କିନ୍ତୁ ଚଳିତ ବର୍ଷ ସଂପନ୍ନ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଆପ୍ ଓ କଂଗ୍ରେସ ଏକାଠି ମିଶି ନିର୍ବାଚନ ଲଢିଥିଲେ । ଏହା ପରେ ବି ସାତ ଲୋକସଭା ସିଟରୁ ଗୋଟିଏ ବି ଜିତି ପାରି ନ ଥିଲେ । କେବଳ ଏତିକି ନୁହେଁ ଏହି ପରାଜୟ ପାଇଁ କଂଗ୍ରେସ ଆପକୁ ଦାୟୀ କରିଥିଲା । ସେହିପରି ହରିୟାଣା ନିର୍ବାଚନରେ ବି ଆପ୍ ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢିଥିଲେ ।