ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ପ୍ରଚଣ୍ଡ ବହୁମତ ସହ ନିର୍ବାଚନ ଜିତିଥିଲେ ହେଁ ସରକାର ଗଠନ ନେଇ ଗତିରୋଧ ଜାରି ରହିଛି। ଦେବେନ୍ଦ୍ର ଫଡ଼ଣବିସ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଥିଲେ ହେଁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନି। ଏହା ମଧ୍ୟରେ ବିଜେପିର ଜଣେ ବରିଷ୍ଠ ନେତା ଡିସେମ୍ବର ୫ରେ ମହାୟୁତି ସରକାର ଗଠନ ହେବ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଫଡ଼ଣବିସ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି।
ସିନ୍ଦେ, ଫଡ଼ଣବିସ ଓ ଅଜିତ ପାଓ୍ଵାର ଗୁରୁବାର ରାତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ କରିଥିଲେ। ବୈଠକରେ ପରବର୍ତ୍ତୀ ସରକାର ଗଠନ ନେଇ ଜାରି ଗତିରୋଧର ସମାଧାନ ପାଇଁ ଆଲୋଚନା ହୋଇଥିଲା। ତେବେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଚାନକ ନିଜ ପୈତୃକ ଗାଁ ସତାରା ଯିବାରୁ ଶୁକ୍ରବାର ହେବାକୁ ଥିବା ମହାୟୁତିର ଗୁରୁତ୍ଵପୂର୍ଣ୍ଣ ବୈଠକ ସ୍ଥଗିତ ରହିଛି। ସିନ୍ଦେଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବା ଏବଂ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରୀ ଦଳ ତାଙ୍କ ବାସଭବନ ଯାଇଥିବା ଜଣା ପଡ଼ିଛି। ରବିବାର ମହାୟୁତିର ଏହି ବୈଠକ ବସିବ ବୋଲି ଆଶା କରାଯାଉଛି।
ବିଜେପି ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ଡିସେମ୍ବର ୫ ତାରିଖ ଆୟୋଜିତ ହେବ। ପାର୍ଟିର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ଣବିସ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି। ତେବେ ସଭିଙ୍କ ନଜର ବିଜେପିର ବିଧାୟକ ଦଳ ବୈଠକ ଉପରେ ରହିଛି। ବିଧାୟକ ଦଳ ବୈଠକରେ ନେତା ଚୟନ କରାଯିବ। ନିକଟରେ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି ଯାହା ନିଷ୍ପତ୍ତି ନେବ ତାର ସମର୍ଥନ କରିବୁ ବୋଲି କହିଥିଲେ। ଅଜିତ ପାଓ୍ଵାରଙ୍କ ଏନସିପି ମୁଖ୍ୟମନ୍ତ୍ରୀ ପଦରେ ଦେବେନ୍ଦ୍ର ଫଡ଼ନବିସଙ୍କୁ ସମର୍ଥନ ଦେଇଛି।