ଭୁବନେଶ୍ୱର: ପୁଣି ବିସ୍ଫୋରକ ବୟାନ ଦେଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର । ବିଜେଡି କେଉଁ କାରଣ ପାଇଁ ନିର୍ବାଚନ ହାରିଲା ତାର ଗୋଟି ଗୋଟି କରି କାରଣ ବଖାଣିଛନ୍ତି । ସେ କହିଛନ୍ତି ଅତୀତରେ ବିଜେଡି ବହୁତ ଭୁଲ୍ କରିଛି । ବିଜେପି ବିଧାୟକ ଟିକେଟ୍ ପାଇଥିବା କିଛି ପ୍ରାର୍ଥୀଙ୍କୁ ଆମ ଦଳ ନେଇଛି । ଏହା ପୂର୍ବରୁ ଗତକାଲି ମଧ୍ୟ ବଦ୍ରି ନାରାୟଣ ପାତ୍ର ଦଳ ପରାଜୟର କାରଣ ଗୃହରେ କହିଥିଲେ ।
ସେ ଆଜି କହିଛନ୍ତି ସେମାନେ ଏବେ ଆମ ସାଂସଦଙ୍କୁ ନେଇ ଯାଉଛନ୍ତି, ଉଭୟଙ୍କ ପାଇଁ କ୍ଷତିକାରକ । ଅନ୍ୟଦଳରୁ ଧାର ଆଣି ଭୁଲ କରିଛୁ । ବିଜେପି ଯାହା କରୁଛି ସେଟା ବି ଭୁଲ । ଆଦର୍ଶ ବଦଳି ନ ଥିବା ଲୋକଙ୍କୁ ରାତିରେ ଆଣି ସକାଳେ ପ୍ରାର୍ଥୀ କଲେ ହାରୁଛନ୍ତି । ଆଦର୍ଶଜନିତ ସଙ୍କଟ ରହୁଛି । ସେମାନଙ୍କୁ ଭରସା କଲେ ଦଳ ଆଗେଇବନି ।
ଗତକାଲି ଗୃହର ପ୍ରଶ୍ନ କାଳରେ ପାନୀୟ ଜଳ ସମ୍ପର୍କିତ ପ୍ରଶ୍ନ ପଚରା ଯାଇଥିଲେ । ପ୍ରଶ୍ନ ପଚାରିଥିଲେ ବିରୋଧୀ ସଦସ୍ୟ ସୌଭିକ ବିଶ୍ୱାଳ । ବିଭାଗୀୟ ମନ୍ତ୍ରୀ ରବି ନାୟକ ଉତ୍ତର ରଖୁଥିଲେ । ଏହି ସମୟରେ ଘସିପୁରା ବିଧାୟକ ବଦ୍ରି ପାତ୍ର ବିସ୍ଫୋରକ ମନ୍ତବ୍ୟ ଦେଇଥିଲେ। ପୂର୍ବ ବିଜେଡ଼ି ସରକାର ଅମଳରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ଅଧପନ୍ତରିଆ କାର୍ଯ୍ୟ ଯୋଗୁଁ ନିର୍ବାଚନରେ ତାହାର ପ୍ରତିଫଳିତ ହୋଇଥିଲା ।
ପାନୀୟଜଳ କଷ୍ଟ ଆକ୍ରୋଶ ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ । ମୁଁ ନିଜେ ଏହା ଗତ ନିର୍ବାଚନର ଅନୁଭବ କରିଛି । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନ ସରିବା ଏହାର ମୁଖ୍ୟ କାରଣ । ଲୋକମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ । କିନ୍ତୁ ନ ସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଥିଲା ବୋଲି କହିଥିଲେ ଶ୍ରୀଯୁକ୍ତ ପାତ୍ର ।