ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଥିବା ଷଣ୍ଢ ସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଛନ୍ତି ତାରା । ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଅଣତାରକା ବିଶିଷ୍ଟ ଲିଖିତ ପ୍ରଶ୍ନ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିଛନ୍ତି ।
ବିଧାୟକ ତାରା ବାହିନୀପତି ପ୍ରଶ୍ନ ପଚାରି କହିଥିଲେ ଯେ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି, ଏହାର ପରିସଂଖ୍ୟାନ କେତେ, ରାଜ୍ୟରେ ଷଣ୍ଢ ବଂଶ ଦୃତ ଗତିରେ ହ୍ରାସ ହେଉଥିବା ଘଟଣା ସତ୍ୟ କି, ଷଣ୍ଢ ବଂଶର ବୃଦ୍ଧି ଲାଗି ବିଭାଗ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି ?
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତରରେ କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ରହିଥିବା ବେଳେ ବର୍ତ୍ତମାନ ସଂଖ୍ୟା ହ୍ରାସ ପାଇଛି । ବିଂଶତମ ପ୍ରାଣୀ ଗଣନା ଅନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ ଅଛନ୍ତି । ଉନ୍ନତ ମାନର ଷଣ୍ଢମାନଙ୍କୁ ପ୍ରଜନନ ସକାଶେ ହିମିକୃତ ଶୁକ୍ର ଭଣ୍ଡାର ରେ ବ୍ୟବହାର କରାଯାଉଅଛି । ରାଜ୍ୟରେ ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ୱାରା କୃତ୍ରିମ ପ୍ରଜନନ ଯୋଜନା ମାଧ୍ୟମରେ କୃତ୍ରିମ ପ୍ରଜନନ କରାଯାଇ ୯୦ ପ୍ରତିଶତ ଉନ୍ନତ ମାନର ମାଈ ବାଛୁରି ଜନ୍ମ ହେଉଅଛି ।
ରାଜ୍ୟରେ କୃତ୍ରିମ ପ୍ରଜନନ ଦ୍ୱାରା ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ଉନ୍ନତ ଅନୁବଂଶୀୟ ଗୁଣ ସମ୍ପନ୍ନ ଷଣ୍ଢର ଆବଶ୍ୟକତା ହୋଇଥିବାରୁ ରାଜ୍ୟରେ ଏହି ଧରଣର ଉନ୍ନତମାନର ଷଣ୍ଢ ବଂଶ ବୃଦ୍ଧି କରିବା ପାଇଁ ବିଭାଗ ତରଫରୁ ନିଆଯାଉଥିବା ପଦକ୍ଷେପର ବିବରଣୀ ସଂଲଗ୍ନ କରାଗଲା ।