ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଓଡ଼ିଶା ଓ ଉତ୍ତରାଖଣ୍ଡ ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫କୁ ଉଦଘାଟନ କରିବେ। ଏହାପରେ ସେ ସନ୍ଧ୍ୟା ପ୍ରାୟ ୬ଟାରେ ସେ ଉତ୍ତରାଖଣ୍ଡର ଡେରାଡୁନ ଯାଇ ୩୮ତମ ଜାତୀୟ କ୍ରୀଡ଼ାକୁ ଉଦ୍ଘାଟନ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନରେ ଆୟୋଜିତ ୩୮ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିବେ। ଏହାର ରୌପ୍ୟ ଜୟନ୍ତୀ ବର୍ଷରେ ଉତ୍ତରାଖଣ୍ଡରେ ଏହା ଆୟୋଜନ କରାଯାଉଛି ଏବଂ ଜାନୁଆରୀ ୨୮ରୁ ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ୮ଟି ଜିଲ୍ଲାର ୧୧ଟି ସହରରେ ଅନୁଷ୍ଠିତ ହେବ।
ଜାତୀୟ କ୍ରୀଡ଼ାରେ ୩୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ୧୭ ଦିନ ଧରି ଚାଲିବାକୁ ଥିବା ଏହି ଖେଳରେ ୩୫ଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଥିମଧ୍ୟରୁ ୩୩ଟି କ୍ରୀଡ଼ାରେ ପଦକ ପ୍ରଦାନ କରାଯାଇଥିବା ବେଳେ ୨ଟି କ୍ରୀଡ଼ା ପ୍ରଦର୍ଶନୀ କ୍ରୀଡ଼ା ହେବ। ଯୋଗ ଓ ମଲ୍ଲଖମ୍ବ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ାରେ ସାମିଲ ହୋଇଛନ୍ତି। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ।
ସ୍ଥାୟୀତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷଜାତୀୟ କ୍ରୀଡ଼ାର ବିଷୟବସ୍ତୁ ହେଉଛି 'ଗ୍ରୀନ୍ ଗେମ୍ସ'। ଏହି ସ୍ଥାନ ନିକଟରେ ସ୍ପୋର୍ଟସ ଫରେଷ୍ଟ ନାମରେ ଏକ ସ୍ୱତନ୍ତ୍ର ପାର୍କ ନିର୍ମାଣ କରାଯିବ, ଯେଉଁଠାରେ ଆଥଲେଟ୍ ଏବଂ ଅତିଥିମାନେ ୧୦ ହଜାରରୁ ଅଧିକ ବୃକ୍ଷରୋପଣ କରିବେ। ପରିବେଶ ଅନୁକୂଳ ଏବଂ ବାୟୋଡିଗ୍ରେଡେବଲ୍ ସାମଗ୍ରୀରୁ ଆଥଲେଟ୍ମାନଙ୍କ ପାଇଁ ପଦକ ଏବଂ ସାର୍ଟିଫିକେଟ୍ ପ୍ରସ୍ତୁତ କରାଯିବ।
ସୂଚାନଯୋଗ୍ୟ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫କୁ ଉଦଘାଟନ କରିବେ। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରମୁଖ ବିଶ୍ୱ ନିବେଶ ସମ୍ମିଳନୀର ଲକ୍ଷ୍ୟ ହେଉଛି ରାଜ୍ୟକୁ ପୂର୍ବୋଦୟ ଭିଜନର କେନ୍ଦ୍ର ତଥା ଭାରତରେ ଏକ ଅଗ୍ରଣୀ ନିବେଶ ସ୍ଥଳ ଏବଂ ଶିଳ୍ପ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା।