ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପଦ ସମ୍ଭାଳିବା ମାତ୍ରେ ପାକିସ୍ତାନକୁ ଗୋଟିଏ ନୁହେଁ ଦୁଇଟି ଝଟକା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଜାରି ଆଦେଶ ପରେ ପାକିସ୍ତାନକୁ ମିଳୁଥିବା ସମସ୍ତ ବିଦେଶୀ ସହାୟତା ବନ୍ଦ ହୋଇ ଯାଇଛି। ଏହି କାରଣରୁ ପାକିସ୍ତାନରେ ଚାଲୁଥିବା ଅନେକ ଜରୁରୀ ପ୍ରଜେକ୍ଟ ବନ୍ଦ ହୋଇ ଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାକିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମୀକ୍ଷା ହେବା ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲାଗିବ। ଟ୍ରମ୍ପଙ୍କ ଏହି ପଦକ୍ଷେପରେ ପାକିସ୍ତାନରେ ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ(USAID) ପକ୍ଷରୁ ଜାରି ପ୍ରକଳ୍ପ ଠପ୍ ହୋଇ ଯାଇଛି। ଏହା ବ୍ୟତୀତ ଆମ୍ବାସଡର୍ସ ଫଣ୍ଡ ଫର କଲଚରାଲ ପ୍ରିଜରଭେସନ ପକ୍ଷରୁ ଚାଲିଥିବା ପ୍ରକଳ୍ପ ମଧ୍ୟ ଅଟକି ଯାଇଛି।
ଏହାରି ଆଧାରରେ ପାକିସ୍ତାନରେ ସ୍ଥିତ ଐତିହାସିକ ସ୍ମାରକର ସଂରକ୍ଷଣ କାମ ଜାରି ରହିଥିଲା। କରାଚି ସ୍ଥିତ ଆମେରିକାର ରାଜଦୂତ ପକ୍ଷରୁ ଏହାର ସୂଚନା ମଧ୍ୟ ଦିଆଯାଇଛି। ଏହାର କହିବା କଥା ପାକିସ୍ତାନକୁ ମିଳୁଥିବା ସହାୟତାର ଟ୍ରମ୍ପ ପ୍ରଶାସନ ସମୀକ୍ଷା କରୁଛନ୍ତି। ତେଣୁ ସମୀକ୍ଷା ପର୍ଯ୍ୟନ୍ତ ସହାୟତା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ତୁରନ୍ତ ପରେ ପାକିସ୍ତାନରେ ଆମେରିକା ସହାୟତାରେ ଚାଲିଥିବା ଏନର୍ଜି ସେକ୍ଟରର ୫ ପ୍ରଜେକ୍ଟ ବନ୍ଦ ହୋଇ ଯାଇଛି।
କେବଳ ଏତିକି ନୁହେଁ ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଗତି ଦେଉତୀବା ୪ ପ୍ରକଳ୍ପ ମଧ୍ୟ ଅଟକି ଯାଇଛି। ଆମେରିକାର ଏହି ପଦକ୍ଷେପରେ ସ୍ଵାସ୍ଥ୍ୟ, କୃଷି, ଆଜୀବିକା, ଖାଦ୍ୟ ସୁରକ୍ଷା, ବନ୍ୟା, ପାଣିପାଗ ଓ ଶିକ୍ଷା ସଂପର୍କିତ ଅନେକ ପ୍ରକଳ୍ପର ପରିଚାଳନା ଉପରେ ବିପଦ ଘନେଇଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ମାନବ ଅଧିକାର ସମ୍ବନ୍ଧିତ ପ୍ରକଳ୍ପ ପାଇଁ ମଧ୍ୟ ଫଣ୍ଡର ଅଭାବ ପଡ଼ିବା ଆଶଙ୍କା ରହିଛି।