ୱାଶିଂଟନ୍: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଏକ ଯାତ୍ରୀବାହୀ ବିମାନ ଓ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି। ବିମାନରେ ଅନେକ ଯାତ୍ରୀ ଥିଲେ, ବିମାନବନ୍ଦର ନିକଟରେ ଘଟିଥିଲା ଏହି ବିମାନ ଦୁର୍ଘଟଣା। ବିମାନଟି ପୋଟୋମାକ୍ ନଦୀରେ ଖସି ପଡ଼ିଥିଲା। ଏହି ଅଭାବନୀୟ ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ବିମାନରେ ମୋଟ ୬୦ ଯାତ୍ରୀଙ୍କ ସହ କ୍ରିୟୁ ମେମ୍ବର ଥିଲେ ଏବଂ ହେଲିକପ୍ଟରରେ ୩ ଜଣ ଯବାନ ଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବିମାନଟି ଆମେରିକାର କାନସାସ୍ ସିଟିରୁ ୱାଶିଂଟନ ଅଭିମୁଖେ ଆସୁଥିଲା। ଏହା ଥିଲା କାନାଡା ଏୟାର ର ଏକ ବିମାନ। ଆମେରିକା ସେନାର ହେଲିକପ୍ଟର ଥିଲା ବ୍ଲାକହକ୍ (ଏଚ୍ -୬୦)। ବିମାନ ଦୁର୍ଘଟଣା ପରେ ପୋଟୋମାକ୍ ନଦୀରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଜାରି ରହିଛି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ରେଗାନ୍ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି କିପରି ହେଲିକପ୍ଟରକୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଧକ୍କା ହେବା ପରେ ବିମାନଟି ଫାୟାରବଲ୍ରେ ପରିଣତ ହୋଇଥାଏ।
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏହି ଘଟଣା ଉପରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ବର୍ତ୍ତମାନ ସର୍ବୋତ୍ତମ ଆଶା କରୁଛୁ। ଉଦ୍ଧାରକାରୀ ଟିମ୍କୁ ନିୟୋଜିତ କରାଯାଇଛି।
ଏହି ଘଟଣାରେ ମେଟ୍ରୋପଲିଟାନ ପୁଲିସ ଡିପାର୍ଟମେଣ୍ଟ (ଏମପିଡି) ହେଲିକପ୍ଟର ସମ୍ପୃକ୍ତ ନଥିବା ଡିସି ପୋଲିସ ସ୍ପଷ୍ଟ କରିଛି। ଏହି ଜରୁରୀ କାଳୀନ ପରିସ୍ଥିତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଏମପିଡି ଅନ୍ୟ ଏଜେନ୍ସିସହିତ ସହଯୋଗ କରୁଛି।
ଘଟଣା ସମୟରେ ଉପସ୍ଥିତ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ସିଏନ୍ଏନ୍କୁ କହିଛନ୍ତି, "ଯେତେବେଳେ ମୁଁ ବିମାନଟିକୁ ଦେଖିଲି, ଏହା ସ୍ୱାଭାବିକ ଲାଗୁଥିଲା। କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ଏହା ୯୦ ଡିଗ୍ରୀରୁ ଅଧିକ ତଳକୁ ଝୁଲିଯାଇଥିଲା ଏବଂ ତଳୁ ଚିଙ୍ଗୁଡ଼ି ଆସିବା ଆରମ୍ଭ ହୋଇଥିଲା । ଏହାପରେ ହଠାତ୍ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା।
ଦୁର୍ଘଟଣା ପରେ ଆମେରିକୀୟ ଏୟାରଲାଇନ୍ସର ସିଇଓ ରବର୍ଟ ଇସୋମ ଡିସିଏ ଘଟଣାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି। ଦୁର୍ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ନେଇ ସେ ଚିନ୍ତିତ ଥିବା କହିଛନ୍ତି। ଆମ କମ୍ପାନୀ ସବୁ ପ୍ରକାରର ସହାୟତା ଦେବାକୁ ପ୍ରସ୍ତୁତ। ଏଥିପାଇଁ ଆପଣ ଆମେରିକୀୟ ଏୟାରଲାଇନ୍ସର ଟୋଲ ଫ୍ରି ନମ୍ବର ୮୦୦-୬୭୯-୮୨୧୫ରେ କଲ୍ କରିପାରିବେ। ଯୁକ୍ତରାଷ୍ଟ୍ର ଆମେରିକା ବାହାରୁ କଲ୍ କରୁଥିବା ଲୋକମାନେ ଅତିରିକ୍ତ ଫୋନ୍ ନମ୍ବର ପାଇଁ news.aa.com ଯାଇପାରିବେ।