ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି ମଇଦାନକୁ ଫେରିବା ନେଇ ବିଗୁଲ ବଜାଇଛି । ଶେଖ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ଘୋଷଣା କରିଛି ଯେ, ଦେଶରେ ହିନ୍ଦୁଙ୍କ ଉତ୍ପୀଡନ ବିରୋଧରେ ମହମ୍ମଦ ୟୁନିସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଇସ୍ତଫା ଦାବି କରିବ । ପାର୍ଟି ବଡ ଧରଣର ବିରୋଧ ପ୍ରଦର୍ଶନ ଓ ରାସ୍ତାକୁ ଓହ୍ଲାଇବାକୁ ଯୋଜନା କରିଛି । ଶେଖ ସହିନାଙ୍କ ଦେଶ ଛାଡିବା ପରେ ଆବାମୀ ଲିଗର ଏହା ପ୍ରଥମ ବଡ ପ୍ରଦର୍ଶନ ହେବାକୁ ଯାଉଛି । ଗତ ବର୍ଷ ଛାତ୍ର ଆନ୍ଦୋଳନ ସମୟରେ ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାରର ପତନ ଘଟିବା ପରେ ପାର୍ଟିର ଅଧିକାଂଶ ନେତାଙ୍କୁ ଗିରଫ କରାଯାଇଥିଲା । ଏପରିକି ଆକ୍ରମଣ ଭୟରେ ଅନେକ ନେତା ଦେଶରେ ଲୁଚିବାକୁ ପଡିଛି ।
ଆବାମୀ ଲିଗ୍ ବୁଧବାର ଫେସବୁକ ପେଜରେ ପୋଷ୍ଟ କରି ଲେଖିଛି ଯେ, ପାର୍ଟି ୟୁନୁସ ସରକାରଙ୍କ ଇସ୍ତଫା ପାଇଁ ଚାପ ପକାଇବ । ଏଥିପାଇଁ ଫେବୃଆରୀ ୧ରୁ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ । ଏ ନେଇ ପାର୍ଟି ପ୍ରସ୍ତୁତିରେ ଜୁଟି ଯାଇଛି । ଫେବୃଆରୀ ୬ରୁ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଓ ରାଲି ବାହାର କରାଯିବ । ଫେବୃଆରୀ ୧୦ରେ ମଧ୍ୟ ପ୍ରଦର୍ଶନ ସହ ରାଲି ଆୟୋଜନ କରାଯିବ । ଏହା ବ୍ୟତୀତ ଫେବୃଆରୀ ୧୬ରେ ଦେଶରେ ନାକାବନ୍ଦୀ କରାଯିବ ଏବଂ ଫେବୃଆରୀ ୧୮ ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହଡତାଳ କରାଯିବ ।
ସବୁଠୁ ରୋଚକ କଥା ଏହି ପୋଷ୍ଟରେ ପାର୍ଟି ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସମ୍ବୋଧିତ କରିଛି । ବୟାନରେ କୁହାଯାଇଛି ଯେ, ଏହି ଆନ୍ଦୋଳନ ଜରିଆରେ ଆଇସିଟି ଟ୍ରାଇବ୍ୟୁନାଲରେ ପ୍ରଧାନମନ୍ତ୍ରୀ ଓ ପାର୍ଟିର ଅନ୍ୟ ନେତାଙ୍କ ବିରୋଧରେ ରୁଜୁ କେସ୍ ପ୍ରତ୍ୟାହାର କରିବାକୁ ଦାବି କରିବ । କ୍ଷମତାରୁ ଶେଖ ହସିନା ବେଦଖଲ ହେବା ପରେ ପାର୍ଟି ନଭେମ୍ବର ୧୦ରେ ସଡକକୁ ଓହ୍ଲାଇବାକୁ ଯୋଜନା କରିଥିଲା । ହେଲେ ଏହା ଆୟୋଜିତ କରାଯାଇ ପାରି ନ ଥିଲା ।