ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଛି। ରାଜ୍ୟରେ ଘମାଘୋଟ ପ୍ରଚାର ଚାଲିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ସଚିବ ସୁନୀଲ ଶ୍ରୀବାସ୍ତବ ଏବଂ ତାଙ୍କ ସହ ଜଡ଼ିତ ଲୋକଙ୍କ ବିରୋଧରେ ଆୟକର ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ସୁନୀଲ ଶ୍ରୀବାସ୍ତବ, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ସହ ଜଡ଼ିତ ମୋଟ ୧୬ରୁ ୧୭ଟି ସ୍ଥାନରେ ଚଢ଼ାଉ କରିଛି।
ସୂଚନା ଅନୁଯାୟୀ, ରାଞ୍ଚିର ୭ଟି ଓ ଜାମସେଦପୁରର ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏଥିରେ ଜାମସେଦପୁରର ଅଞ୍ଜନିଆ ଇସ୍ପାତ ସମେତ ଅନ୍ୟାନ୍ୟ ବେସ୍ ମଧ୍ୟ ରହିଛି। ଏ ନେଇ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।
ଏହା ପୂର୍ବରୁ ଅକ୍ଟୋବର ୧୪ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଭାଇଙ୍କ ଘରେ ଚଢ଼ାଉ କରିଥିଲା। ଜଳ ଜୀବନ ମିଶନରେ ଦୁର୍ନୀତି ମାମଲାରେ ସୋରେନ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ମିଥ୍ଲେଶ ଠାକୁରଙ୍କ ଭାଇ ବିନୟ ଠାକୁର, ବ୍ୟକ୍ତିଗତ ସଚିବ ହରେନ୍ଦ୍ର ସିଂହଙ୍କ ସମେତ ବିଭାଗର ଅନେକ ଯନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉ କରିଥିଲା।
ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ସପ୍ତାହେରୁ କମ୍ ସମୟ ବାକି ଥିବା ବେଳେ ଏହା ପୂର୍ବରୁ ଆୟକର ବିଭାଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନରେ ଚଢ଼ାଉ କରିଛି। ଝାଡ଼ଖଣ୍ଡରେ ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ଏବଂ ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ରେ ମତଦାନ ହେବ। ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ।
ଅଧିକ ପଢ଼ନ୍ତୁ: ପର୍ଯ୍ୟଟକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ; ୫ ମୃତ, ୧୫ ଆହତ