ଅହମଦାବାଦ୍: ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୫ ପାଇଁ ମୋଟ ୫ ଜଣ ଖେଳାଳିଙ୍କୁ ରିଟେନ୍ କରିସାରିଛି। ଏହି ଟିମ୍ ଶୁଭମନ ଗିଲ୍ ଓ ରସିଦ ଖାନଙ୍କ ସମେତ ଏହି ୫ ଜଣ ଖେଳାଳିଙ୍କ ପାଇଁ ୫୧ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ଏବେ ନିଲାମରେ ସେମାନଙ୍କୁ ୬୧ କୋଟି ଟଙ୍କା ମଧ୍ୟରେ ନିଜ ଦଳର ବାକି ସଦସ୍ୟଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। ନିଲାମ ପୂର୍ବରୁ ଜିଟି ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରାଙ୍କ ବିଷୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ଯେ ସେ ସୋମବାର ମହମ୍ମଦ ଶାମି ଏବଂ ଉମରାନ ମଲ୍ଲିକଙ୍କ ସହ କଥା ବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି।
ଏକ ରିପୋର୍ଟ ଅନୁଯାୟୀ, ଆଶିଷ ନେହେରା ଦ୍ରୁତବୋଲର ଉମରାନ ମଲ୍ଲିକ ଏବଂ ମହମ୍ମଦ ଶାମିଙ୍କ ସହ କଥା ବାର୍ତ୍ତା କରୁଥିବାଦେଖିବାକୁ ମିଳିଛି। ଆଇପିଏଲ୍-୨୦୨୩ ପରେ ସାମି ଏହି ଲିଗ୍ରେ ଖେଳିନଥିବା ବେଳେ ଅନ୍ୟପଟେ ଉମରାନ ମଲ୍ଲିକ ଆଇପିଏଲ୍ ୨୦୨୪ରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିପାରିଥିଲେ, ଯାହା ପରେ ଆହତ କାରଣରୁ ତାଙ୍କୁ ବାକି ସିଜନରୁ ବଞ୍ଚିତ ହେବାକୁ ପଡ଼ିଥିଲା।
ସୂଚନାଯୋଗ୍ୟ, ଗୁଜୁରାଟର ରିଟେନ୍ସନ୍ ଲିଷ୍ଟରେ ଜଣେ ବି ଦ୍ରୁତ ବୋଲର ନାହାନ୍ତି, ତେଣୁ ଏହି ଦଳକୁ ଅଧିକ ପେସ୍ ଆଟାକ୍ ର ଆବଶ୍ୟକତା ରହିଛି ତାହା ବୁଝିବା କଷ୍ଟକର ନୁହେଁ।
ମହମ୍ମଦ ଶାମିଙ୍କ ଆଇପିଏଲ୍ କ୍ୟାରିୟରକୁ ଦେଖିଲେ ସେ ଏପର୍ଯ୍ୟନ୍ତ ୧୧୦ ମ୍ୟାଚ୍ ଖେଳି ୧୨୭ ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ ଉମରାନ ମଲ୍ଲିକ ଏପର୍ଯ୍ୟନ୍ତ ୨୬ଟି ଆଇପିଏଲ୍ ମ୍ୟାଚ୍ ଖେଳି ୨୭ଟି ୱିକେଟ୍ ନେଇଛନ୍ତି। ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରି ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ସିଜନ ବିଷୟରେ କହିବାକୁ ଗଲେ ଗୁଜୁରାଟ ଦଳରେ ମୋହିତ ଶର୍ମା, ଉମେଶ ଯାଦବ, ଜୋସୁଆ ଲିଟିଲ ଏବଂ କାର୍ତ୍ତିକ ତ୍ୟାଗୀଙ୍କ ସମେତ ଅନେକ ପ୍ରସିଦ୍ଧ ଏବଂ ପ୍ରତିଭାଶାଳୀ ଦ୍ରୁତ ବୋଲର ଥିଲେ ମଧ୍ୟ ଜିଟି ଆଗାମୀ ସିଜନ ପାଇଁ ସେମାନଙ୍କ ମଧ୍ୟରୁ କାହାକୁ ରିଟେନ୍ କରିନାହିଁ।
ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ସମସ୍ତ ୧୦ଟି ଦଳ ମୋଟ ୪୬ ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲେ। ଯଦି କେବଳ ପେସ୍ ବୋଲର ଓ ଦ୍ରୁତବୋଲର ଅଲରାଉଣ୍ଡର ଖେଳାଳିଙ୍କୁ ଏକାଠି ଦେଖାଯାଏ, ତେବେ ୪୬ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ବଜାୟ ରଖାଯାଇଛି। ଏଥିରେ ଯଶପ୍ରୀତ ବୁମ୍ରା ଓ ମୟଙ୍କ ଯାଦବଙ୍କ ଠାରୁ ଆରମ୍ଭ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ନୀତୀଶ ରେଡ୍ଡୀଙ୍କ ନାମ ରହିଛି, ଯାହାକୁ ଦଳ ଦ୍ରୁତ ବୋଲିଂ ବିକଳ୍ପ ଭାବେ ବ୍ୟବହାର କରିପାରିବ।