ନୂଆଦିଲ୍ଲୀ: ଚିରଦିନ ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମନେ ରହିବେ। ଭାରତର ବିକାଶରେ ସେ ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହା କୋଟିକୋଟି ଭାରତୀୟଙ୍କ ମନରେ ରହିବ। ବିଶେଷ ଭାବରେ ଦେଶର ଆର୍ଥିକ ବ୍ୟବସ୍ଥାରେ ସଂଶୋଧନ ପାଇଁ ସେ ଯେଉଁ ଉଦ୍ୟମ କରିଛନ୍ତି, ତାହା ସ୍ମାରଣୀୟ ହୋଇ ରହିବ। ଆଜି ଅପରାହ୍ଣରେ ନୂଆଦିଲ୍ଲୀର ନିଗମବୋଧ ଘାଟରେ ଶିଖ୍ ପରଂପରା ଅନୁସାରେ ମନମୋହନଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ତାଙ୍କୁ ରାଜକୀୟ ସମ୍ମାନର ସହିତ ଅନ୍ତିମ ବିଦାୟ ଦିଆଯାଇଛି। ଶେଷକୃତ୍ୟ ପାଇଁ ଭାରତ ସରକାରଙ୍କ ଗୃହମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।
ଶୋକାକୁଳ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା ଏବଂ ଅନ୍ୟ ମନ୍ତ୍ରୀମାନେ ନିଗମବୋଧ ଘାଟରେ ପହଞ୍ଚିବା ସହିତ ଶେଷ ଦର୍ଶନ କରିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ। ମନେମୋହନ ସିଂହଙ୍କ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଶେଷଯାତ୍ରାରେ ଉପସ୍ଥିତ ଥିଲେ।
ପାର୍ଥିବ ଶରୀର ନିଗମବୋଧ ଘାଟରେ ପହଞ୍ଚିବା ପୂର୍ବରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ସାଢ଼େ ୯ଟାରେ ଏକ ଶୋକଯାତ୍ରାରେ ବାହାରିଥିଲା। କଂଗ୍ରେସ ଭବନରେ ଦଳୀୟ ନେତାଙ୍କ ସହିତ ଅନ୍ୟମାନେ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପୂର୍ବରୁ ପାର୍ଥିବ ଶରୀର ତାଙ୍କ ବାସଭବନରୁ ସକାଳ ୮ଟାରେ କଂଗ୍ରେସ ଭବନକୁ ନିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସାରା ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ଟ୍ରାଫିକ୍ ଆଡଭାଇଜରି ଜାରି କରିଥିଲା। ନୂଆଦିଲ୍ଲୀକୁ ଯାଉଥିବା ପ୍ରମୁଖ ରାସ୍ତାରେ କଟକଣା ଓ ପରିବର୍ତ୍ତନ ନେଇ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ଟ୍ରାଫିକ୍ ଆଡଭାଇଜରୀ ଜରିଆରେ ଜାମ୍ ଏଡ଼ାଇବା ଏବଂ ଭିଡ଼ କମାଇବା ପାଇଁ ସାଧାରଣ ପରିବହନ ବ୍ୟବହାର କରିବାକୁ ପୁଲିସ କହିଥିଲା।
ସୂଚନାଯୋଗ୍ୟ, ଗୁରୁବାର (ଡିସେମ୍ବର ୨୬) ଡ. ମନମୋହନ ସିଂହଙ୍କର ପରଲୋକ ଘଟିଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି, ୯୨ ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗ ଖବର ଶୁଣି ଆମେ ଗଭୀର ଦୁଃଖିତ। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ଏବଂ ୨୦୨୪ ଡିସେମ୍ବର ୨୬ ତାରିଖରେ ହଠାତ୍ ଘରେ ଅଚେତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଘରେ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ରାତି ୮ଟା ୬ମିନିଟରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ଉଦ୍ଧାର କରାଯାଇ ପାରିନଥିଲା ଏବଂ ରାତି ୯ଟା ୫୧ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ମନମୋହନ ସିଂହ ୧୯୩୨ ମସିହାରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ବିରୋଧରେ ୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ସେ ପ୍ରଥମ ଥର ପାଇଁ ୨୦୦୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଦ୍ୱିତୀୟ କାର୍ଯ୍ୟକାଳ ରେ କାର୍ଯ୍ୟ କରିଥିଲେ। ୨୦୧୪ରେ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଦୀର୍ଘ ୩୩ ବର୍ଷ କାର୍ଯ୍ୟ କରିବା ପରେ ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ।
ଅଧିକ ପଢ଼ନ୍ତୁ: ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବରିଷ୍ଠ ନେତା