ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବୋର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଭାରତ ଫର୍ମକୁ ଫେରିବକି? ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ୍ (ଏମ୍ସିଜି ଗ୍ରାଉଣ୍ଡ)ରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟ୍ ମ୍ୟାଚ୍ରେ ଭାରତ ଆଗରେ ବିଶାଳ ସ୍କୋର ଲକ୍ଷ୍ୟ ଥିବା ବେଳେ ରୋହିତ ବାହିନୀ ଦ୍ବିତୀୟ ଦିନର ଖେଳ ଶେଷସୁଦ୍ଧା ୫ଟି ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଛି। ଯୁବ ବ୍ୟାଟର ତଥା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା (୪) ଓ ଋଷଭ ପନ୍ତ (୬) ଅପରାଜିତ ଅଛନ୍ତି। ଏଥି ସହିତ ଭାରତ ୩୧୦ ରନ୍ ପଛରେ ରହିଛି।
ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ଶୁକ୍ରବାର ସମସ୍ତ ୱିକେଟ୍ ହରାଇ ୪୭୪ ରନ୍ ସଂଗ୍ରହ କରିଥିବା ବେଳେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୫ଟି ବଲ୍ ସାମ୍ନା କରି ମାତ୍ର ୩ ରନ୍ ସଂଗ୍ରହ କରିଥିଲେ। ଯୁବ ବ୍ୟାଟର କେଏଲ୍ ରାହୁଲ ମଧ୍ୟ କ୍ରିଜ୍ରେ ଅଧିକ ସମୟ ରହିପାରି ନଥିଲେ। ଭାରତ ୮ ରନ୍ରେ ପ୍ରଥମ ୱକେଟ୍ ଓ ୫୧ ରନ୍ରେ ଦ୍ବିତୀୟ ୱକେଟ୍ ଭାବେ କେଏଲ୍ ରାହୁଲ (୨୪)ଙ୍କୁ ହରାଇଥିଲା। ଏଭଳି ସଂକଟ ସମୟରେ କ୍ରିକେଟ୍ପ୍ରେମୀଙ୍କର ମନରେ ଆଶା ସଞ୍ଚାର କରିଥିଲେ ଯଶସ୍ବୀ ଜୟସ୍ବାଲ ଓ ବିରାଟ କୋହଲି। ଆକାଶ ଦୀପ ଶୂନ୍ୟରେ ଆଉଟ୍ ହୋଇଥିଲେ।
ତୃତୀୟ ୱକେଟ୍ ପାଇଁ ଭାରତର ସ୍କୋର ୧୦୨ ରନ୍ ହୋଇଥିଲା। ଯଶସ୍ବୀ ଜୟସ୍ବାଲ ଶତକ ଆଡ଼କୁ ବଢୁଥିବା ବେଳେ ପେଟ୍ କମିନ୍ସ ଓ ଆଲେକ୍ସ କେରିଙ୍କ ଦ୍ବାରା ରନ୍ ଆଉଟ୍ ହୋଇଥିଲେ। ସେ ୮୨ ରନ୍ କରିବା ପାଇଁ ୧୧ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଭାରତ ୧୫୪ ରନ୍ରେ ବିରାଟ କୋହଲି (୩୬)ଙ୍କୁ ହରାଇଥିଲା। ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ଅଭିଜ୍ଞ କ୍ରିକେଟ୍ର ବିରାଟ କୋହଲି ଶତକୀୟ ଭାଗିଦାରୀ ହୋଇପାରିଥିଲେ। ସେମାନେ ଦର୍ଶକ ଓ କ୍ରୀଡ଼ାପ୍ରେମୀଙ୍କ ମନରେ ଉତ୍ସାହ ଭରି ଦେଇଥିଲେ। ମାତ୍ର ଯଶସ୍ବୀ ଜୟସ୍ବାଲ ରନ୍ ଆଉଟ୍ ହେବା ପରେ ପୁଣି ସ୍ଥିତି ବଦଳି ଯାଇଥିଲା।
ଅଧିକ ପଢ଼ନ୍ତୁ: ସୁଧାର ଆସୁନି ଦିଲ୍ଲୀ-ଏନସିଆରରେ ବାୟୁ ସ୍ଥିତି