କୋଲକାତା: ବିବାହର ୧୮ ବର୍ଷ ପରେ ଜଣେ ମହିଳାଙ୍କ ଦ୍ବାରା ଅଣାଯାଇଥିବା ଯୌତୁକ ନିର୍ଯାତନା ମାମଲାକୁ କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ମହିଳା ଜଣକ ଭାଉଜଙ୍କ ସ୍ୱାମୀ ଅର୍ଥାତ୍ ନଣନ୍ଦେଇଙ୍କୁ ମଧ୍ୟ ଅଭିଯୁକ୍ତ କରିଥିଲେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଯେଉଁ କ୍ଷେତ୍ରରେ ଅଭିଯୋଗ କେବଳ ସାଧାରଣ ଏବଂ ଅସ୍ପଷ୍ଟ ଅଭିଯୋଗ ଉପରେ ଆଧାରିତ, ସେଠାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଆଇନ ପ୍ରକ୍ରିୟାର ଅପବ୍ୟବହାର ଭାବରେ ବିବେଚନା କରାଯିବ। କଲିକତା ହାଇକୋର୍ଟ ତାଙ୍କ ରାୟରେ ଅଭିଯୁକ୍ତଙ୍କ ବିରୋଧରେ ଦାୟର ମାମଲାକୁ ଖାରଜ କରି କହିଛନ୍ତି ଯେ ଏହି ମାମଲାରେ ଆସିଥିବା ଅଭିଯୋଗ ଅସ୍ପଷ୍ଟ ଏବଂ ଏହା ସିଧାସଳଖ ଅଭିଯୁକ୍ତଙ୍କୁ ସୂଚାଉନାହିଁ ବୋଲି କହିଛନ୍ତି।
ଡିସେମ୍ବର ୨୪ତାରିଖରେ ହାଇକୋର୍ଟ ତାଙ୍କ ରାୟରେ ମହିଳା (ଅଭିଯୋଗକାରୀ) ଓ ଅଭିଯୁକ୍ତଙ୍କ ଘର ବହୁ ଦୂରରେ ଥିବା ଜାଣିବାକୁ ପାଇଥିଲେ। ବିବାହର ୧୮ ବର୍ଷ ପରେ ଏହି ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗ ମଧ୍ୟ ସାଧାରଣ ପ୍ରକୃତିର ଥିଲା। ଏଥିପାଇଁ ଅଭିଯୋଗକାରୀ ମହିଳା ଅଦାଲତରେ ଆବେଦନ କରିବା ପରେ ଏହି ମାମଲାରେ ଆବେଦନକାରୀଙ୍କ ନାମ ସାମ୍ନାକୁ ଆସିଥିଲା, କିନ୍ତୁ ଏଥିରେ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ନଥିଲା। ଅଦାଲତ କହିଛନ୍ତି ଯେ ତଥ୍ୟ ଏବଂ କେସ୍ ଡାଏରୀରୁ ଏହା ସ୍ପଷ୍ଟ ହୋଇଛି ଯେ ଅଭିଯୋଗ ସାଧାରଣ ଏବଂ ଅଭିଯୋଗ ୧୮ ବର୍ଷ ପରେ କରାଯାଇଛି। ଏଭଳି ପରିସ୍ଥିତିରେ ଏହି ମାମଲାରେ ମାମଲା ରୁଜୁ କରିବା ଆଇନଗତ ପ୍ରକ୍ରିୟାର ଅପବ୍ୟବହାର।
ମାମଲାକୁ ଖାରଜ କରି କୋର୍ଟ କହିଛନ୍ତି ଯେ ଅଭିଯୋଗ ସମ୍ପର୍କରେ କୌଣସି ସ୍ପଷ୍ଟ ବିବରଣୀ ଦିଆଯାଇନାହିଁ। ଅଭିଯୁକ୍ତଙ୍କ ଯୁକ୍ତି ଅନୁଯାୟୀ, ସେ ନଦିଆର ଚକଡାହାର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଅଭିଯୋଗକାରୀ ନଦିଆର କୃଷ୍ଣନଗରରେ ରହୁଛନ୍ତି। ଏହି ଦୁଇ ସ୍ଥାନ ମଧ୍ୟରେ ଦୂରତା ପାଖାପାଖି ୫୦ କିଲୋମିଟର ହୋଇଥିବାରୁ ଏହି ଘଟଣା ସହ ଆବେଦନକାରୀଙ୍କର କୌଣସି ସମ୍ପର୍କ ନାହିଁ ବୋଲି ମତ ପ୍ରକାଶ ପାଇଛି। ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଧାରା ୪୯୮ଏ (ଯୌତୁକ ନିର୍ଯାତନା ଓ ଆକ୍ରମଣ) ଅଧୀନରେ ଚାଲିଥିବା ମାମଲାକୁ ରଦ୍ଦ କରିଛନ୍ତି।
ଘଟଣାଟି ଘଟିଛି ପଶ୍ଚିମବଙ୍ଗର କୃଷ୍ଣନଗର ଜିଲ୍ଲାରେ। ଏହି ମାମଲାରେ ୨୦୨୨ ଜୁନ୍ ୨୩ ତାରିଖରେ କୋତଓ୍ଵାଲି ଥାନାରେ ଯୌତୁକ ନିର୍ଯାତନା ଓ ଆହତ ମାମଲା ରୁଜୁ ହୋଇଥିଲା। ଅଗଷ୍ଟ ୨୦୦୮ରେ ତତ୍କାଳୀନ ହାଇକୋର୍ଟ ବିଚାରପତି କୈଳାସ ଗମ୍ଭୀର କହିଥିଲେ ଯେ ଯୌତୁକ ନିର୍ଯାତନା ମାମଲାରେ ପୁଲିସ ଏଫଆଇଆର ରୁଜୁ କରିବ ନାହିଁ, ବରଂ ପ୍ରଥମେ ଅଞ୍ଚଳର ଡିସିପି ପାହ୍ୟାର ଅଧିକାରୀଙ୍କ ଠାରୁ ଅନୁମୋଦନ ନେବାକୁ ପଡ଼ିବ। ଏହି ଆଇନର ଅପବ୍ୟବହାର ଯୋଗୁଁ ପ୍ରକୃତରେ ହଇରାଣ ହେଉଥିବା ମହିଳାଙ୍କ ଅଭିଯୋଗ ମଧ୍ୟ ସନ୍ଦେହ ଘେରକୁ ଆସିଛି। ଏଭଳି ପରିସ୍ଥିତିରେ ଆଇନକୁ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଏହାକୁ ଫୁଲ୍ ପ୍ରୁଫ୍ କରାଯାଇପାରିବ। ଏବେ କଲିକତା ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଏଭଳି ମାମଲାକୁ ବଢିବାରୁ ରୋକିବାରେ ପ୍ରଭାବଶାଳୀ ହେବ।
ଅଧିକ ପଢ଼ନ୍ତୁ: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ସମଗ୍ର ତେଲେଙ୍ଗାନା ଫିଲ୍ମ ଇଣ୍ଡଷ୍ଟ୍ରି