ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳର ଜଙ୍ଗଲରେ ଦନ୍ତା ହାତୀ ମାତିଛନ୍ତି। ଜଣକ ପରେ ନେଉଛନ୍ତି ଜଣକ ଜୀବନ। ୫୫ ନମ୍ବର ଜାତୀୟ ରାଜପଥକଡ଼ରେ ଥିବା ଜଙ୍ଗଲ ଠାରୁ ଆରମ୍ଭ କରି ଏହି ବ୍ଲକର ଗାଁ ପାଖରେ ଥିବା ଜଙ୍ଗଲରେ ହାତୀପଲ ଓ ଗୋଠଛଡ଼ା ଦନ୍ତା ଉତ୍ପାତ କରୁଛନ୍ତି। ସାମାନ୍ୟ ଅସାବଧାନ ହେଲେ ଚାଲି ଯାଉଛି ଜୀବନ। ହାତୀମାନେ ଜଙ୍ଗଲରେ ଲୁଚି ରହିଥିବା ବେଳେ ମଣିଷ ଦେଖିଲେ ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି।
ଆଜି ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ଅଧୀନ ଜାମୁଜୁରି ଗାଁର ୫୦ ବର୍ଷିୟ ମହିଳା ପ୍ୟାରୀ ଲୁଗୁନ । ଗୁରୁବାର ଅପରାହ୍ଣ ପ୍ରାୟ ସାଢେ଼ ୩ଟା ବେଳେ ନିକଟସ୍ଥ ପତ୍ରା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡିଯାଇଥିଲେ। ଅଚାନକ ହାତୀକୁ ଦେଖି ଘଟଣାସ୍ଥଳରୁ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ହାତୀଟି ଅତି ନିକଟରେ ଥିବାରୁ ସେଠାରୁ ସେ ଯାଇପାରି ନଥିଲେ। ଫଳରେ ହାତୀଟି ମହିଳାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ପ୍ୟାରୀଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ପ୍ୟାରୀଙ୍କ ମୃତଦେହ ପଡ଼ିଥିବା ଦେଖି ବନ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଯୁୁଯୁମୁରା ଅଞ୍ଚଳରେ ହାତୀ ଉପଦ୍ରବ ନେଇ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି।
ସୂଚନା ଅନୁଯାୟୀ ଧାନ ଅମଳ ସମୟ ହୋଇଥିବାରୁ ଗୋଠଛଡ଼ା ହାତୀପଲ କ୍ଷେତରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଫଳରେ ଜଙ୍ଗଲ ନିକଟକୁ ଲାଗିଥିବା ଗାଁର ଲୋକେ ଭୟଭୀତ ହୋଇଯାଇଛନ୍ତି। ଦିନ ଦି‘ପ୍ରହରରେ ମଧ୍ୟ ବାହାରିବାକୁ ଭୟ କରୁଛନ୍ତି। ପ୍ରାୟ ମାସ ମଧ୍ୟରେ ଏଠାରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବ ନେଇ ସ୍ଥାୟୀ ସମାଧାନ କରାଯାଉ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।