ଭୁବନେଶ୍ୱର : ପୁଣି ଆସୁଛି ଆଉ ଏକ ଲଘୁଚାପ । ଲଗାଣ ବର୍ଷାରେ ଚାଷୀଙ୍କ ଫସଲହାନି ହୋଇଛି । ଚାଷୀଙ୍କ ବୋଝ ଉପରେ ନଳିତା ବିଡା ସଦୃଷ ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଅନ୍ୟାନ୍ୟ ଅଞ୍ଚଳ ଗୁଡିକରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅଣ୍ଟା ସଳଥି ଠିଆ ହେଲା ବେଳକୁ ପୁଣି ଆଉ ଏକ ଲଘୁଚାପ ଆସିବା ଶୁଣି ଚାଷୀକୂଳ ଏବେ ଚିନ୍ତାରେ ।
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି କିନ୍ତୁ ପଶ୍ଚିମାଝଡ଼ ପ୍ରଭାବରେ ୨୮ରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୂଆପଡା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ସୁନ୍ଦରଗଡ ଜିଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜାନୁଆରୀ ପ୍ରଥମ ସପ୍ତାହରେ ଏକ ଲଘୁଚାପ ଆସୁଛି। ଜାନୁଆରୀ ୩ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ପ୍ରାଥମିକ ଆକଳନ କହୁଛି, ଏହା ଅଧିକ ଘନୀଭୂତ ହେବ । ତେବେ ଏହାର ରୂପରେଖ କ’ଣ ରହିବ ଆଗକୁ ସ୍ପଷ୍ଟ କରାଯିବ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ହେଲେ ୨୮ରୁ ୩୧ତାରିଖ ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପାଗ ଆଂଶିକ ମେଘୁଆ ରହିପାରେ। ପଶ୍ଚିମାଝଡ ପ୍ରଭାବ ବିଶେଷ ପଡିବାର ସମ୍ଭାବନା ନାହିଁ।