ମୁମ୍ବାଇ: ନୂଆ ବର୍ଷ ପୂର୍ବରୁ ଟେଲିକମ କମ୍ପାନୀ ଜିଓ ଏହାର ଉପଭୋକ୍ତାମାନଙ୍କୁ ଝଟକା ଦେଇଛି। ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଜିଓ ପରିବର୍ତ୍ତନ ଆଣିଛି। ଜିଓର ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନ ହେଉଛି ୧୯ ଟଙ୍କା ଏବଂ ୨୯ ଟଙ୍କାର ଡାଟା ଭାଉଚର। ଏଥିରେ ଗ୍ରାହକଙ୍କୁ ଯଥାକ୍ରମେ ୧ ଜିବି ଏବଂ ୨ ଜିବି ଡାଟା ମିଳିଥାଏ। ଏହି ଦୁଇଟି ପ୍ଲାନର ବୈଧତା ମୂଳ ପ୍ଲାନର ବୈଧତା ପର୍ଯ୍ୟନ୍ତ ରହୁଥିଲା। କିନ୍ତୁ ଜିଓ ଏହି ଡାଟା ଭାଉଚରର ବୈଧତାରେ ବଡ଼ ପରିବର୍ତ୍ତନ ଆଣିଛି । ଏଣିକି ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆଗଭଳି ମୂଳ ପ୍ଲାନର ବୈଧତା ମିଳିବ ନାହିଁ। ୧୯ ଟଙ୍କା ରିଚାର୍ଜ କଲେ ଗୋଟିଏ ଦିନ ବୈଧତା ଉପଲବ୍ଧ ହେବ। ଯେଉଁଦିନ ରିଚାର୍ଜ କରାଯିବ ସେହିଦିନ ବୈଧତା ଶେଷ ହେବ। ସେହିପରି ୨୯ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ମିଳୁଥିବାବେଳେ ଏହାର ବୈଧତା ୨ ଦିନ ରଖାଯାଇଛି। ୨ ଦିନ ମଧ୍ୟରେ ଗ୍ରାହକଙ୍କୁ ଉକ୍ତ ଡାଟା ବ୍ୟବହାର କରିବାକୁ ପଡ଼ିବ।
ପୂର୍ବରୁ ଜିଓର ସର୍ବନିମ୍ନ ଡାଟା ଭାଉଚରର ମୂଲ୍ୟ ୧୫ ଟଙ୍କା ରହିଥିବା ବେଳେ ଚଳିତବର୍ଷ ଜୁଲାଇ ୩ରୁ ଏହି ମୂଲ୍ୟ ୧୫ଟଙ୍କାରୁ ୧୯ ଟଙ୍କାକୁ ବଢାଇ ଦିଆଯାଇଥିଲା । ସେହିପରି ୨୫ ଟଙ୍କାର ଭାଉଚର ପ୍ଲାନକୁ ୨୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ହେଲେ ଏହାର ବୈଧତା ମୂଳ ପ୍ଲାନର ବୈଧତା ଯାଏଁ କାର୍ଯ୍ୟକାରୀ ହେଉଥିଲା । ହେଲେ ଏଣିକି ଏହି ପ୍ଲାନର ବୈଧତାକୁ ହ୍ରାସ କରି ୧୯ ଟଙ୍କାର ଡାଟା ଭାଉଚରର ପ୍ଲାନକୁ ଦିନକ ପାଇଁ ସୀମିତ ରଖିଥିବା ବେଳେ ୨୯ ଟଙ୍କାର ଡାଟା ଭାଉଚରର ବୈଧତାକୁ ୨ ଦିନ ରଖିଛି ।