ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳର ଜଣେ ୧୨ ବର୍ଷିୟ ନାବାଳିକା ସ୍କୁଲ ଛାତ୍ରୀକୁ ଅସଦାଚରଣ କରିବା ଘଟଣାର ରାୟ ଆସିଛି । ସମ୍ବଲପୂର ମାନ୍ୟବର ପୋକସୋ କୋର୍ଟ ଅଭିଯୁକ୍ତକୁ ୪ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ମୁତାବିକ ୨୦୨୨ ମସିହା ଅଗଷ୍ଟ ୧୭ ତାରିଖରେ ମହୁଲପାଲି ଥାନା ଅଞ୍ଚଳର ଏକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କାର୍ୟ୍ୟରେ ନିୟୋଜିତ ଥିବା ଏକ ଗାଡ଼ିର ଡ଼୍ରାଇଭର ନାବାଳିକାଙ୍କୁ ଅସଦାଚରଣ କରିଥିଲା । ୪୫ ବର୍ଷିୟ ଡ୍ରାଇଭର ହିମାଂଶୁ କିସାନ ୧୨ ବର୍ଷିୟ ନାବାଳିକା ସ୍କୁଲ ଛାତ୍ରୀକୁ ଘରେ ଛାଡ଼ିବା ପରିବର୍ତ୍ତେ ନିଜ ଘରକୁ ନେଇ ଅସଦାଚରଣ କରିଥିଲା। ଏନେଇ ନାବାଳିକା ଛାତ୍ରୀ ଜଣକ ପରିବାରକୁ ଜଣାଇବା ପରେ ଏନେଇ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ ।
ମୋଟ ୧୨ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମାନ୍ୟବର ବିଚାରପତି ଅଭିଳାଷ ସେନାପତି ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଓକିଲ ସନ୍ତୋଷ କୁମାର ପଣ୍ଡା ମାମଲା ପରିଚାଳନା କରୁଥିବା ବେଳେ ମାମଲାର ଶୁଣାଣି ନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।