ଗଞ୍ଜାମ : ଯିଏ ନିଜ ପୂର୍ବଜଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ଯୋଗାଇ ପାରିଲେ ନାହିଁ, ସିଏ ପୁଣି କହିବେ ବିଜେପି ମିଛ କହୁଛି । ଶାସନ କ୍ଷମତାରେ ନବୀନ ବାବୁ ଥିଲେ । ମାତ୍ର ଗଞ୍ଜାମ ଜିଲ୍ଲାରେ 7-8ଟି ବଡ ବଡ ମେଗା ପାଇପ ଓ୍ୱାଟର ଯୋଜନା ଆରମ୍ଭ ହୋଇଛି । ଗୋଟିଏ ଛାଡି ଅନ୍ୟାନ୍ୟ 6ଟି ପ୍ରକଳ୍ପର କାମ ଅଧାପନ୍ତରା ଅଛି । ଗଞ୍ଜାମରେ ପାଣି ପାଇପ ଖୋଲାରେ ପଡିଛି । ପାଣି ଆସିବାର ଠିକଣା ନାହିଁ । ନଳ ଅଛି କିନ୍ତୁ ଜଳ ନାହିଁ । ଏହାକୁ କଣ କହିବା ? ଏହାକୁ କଣ କହିବା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୁରୁବାର ଗଂଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଡିହପଢାଳର ୩୫ତମ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ସେ ଗଂଜାମ ଜିଲ୍ଲାରେ ପୂର୍ବ ସରକାର ସମୟରେ ଗଂଜାମକୁ ଅବହେଳିତ କରାଯାଇଥିବା କଥା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଗଞ୍ଜାମ ଜିଲ୍ଲାରେ ବିଜେପି ସରକାରର ସୁଭଦ୍ରା ଯୋଜନାରେ ୫୦୦ରୁ ଅଧିକ କୋଟି ଟଙ୍କା ମା’ ଭଉଣୀ ମାନଙ୍କ ଖାତାରେ ପହଞ୍ଚିସାରିଛି । ଆଗକୁ ଏହି ସଂଖ୍ୟା ୧୦୦୦ କୋଟି ଟଙ୍କାରେ ପହଞ୍ଚିବ । ଗଞ୍ଜାମରେ ପ୍ରାୟ ୧୦ ଲକ୍ଷ ଲାଭାର୍ଥୀ ଅଛନ୍ତି । ଏହି ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣବାର ଲକ୍ଷ୍ୟ ରଖାଯାଇଛି । କେବଳ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଧାନରେ ଏମଏସପି ବାବଦକୁ ୩୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି ୪୦୦ରୁ ୫୦୦ କୋଟି ଟଙ୍କା ମିଳିବ । ଯଦି ଏହା କାହାକୁ ମିଛ ଲାଗେ, ତେବେ କଣ କୁହାଯିବ ? ସ୍ୱର୍ଗକୁ ନିଶୁଣୀ ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ । ତାଙ୍କୁ କିଏ ଲେଖିକି ଦେଇଥିବ ସେ ପଢି ଦେଇଥିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସୂଚନାଯୋଗ୍ୟ ବିଜେଡି ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ବିଜେଡି କାହିଁକି ୨୦୨୪ ସାଧାରଣ ନିର୍ବାଚନ ହାରିଲା ତାର କାରଣ କହିବା ସହ ବିଜେପିକୁ ସମାଲୋଚନା କରିଥିଲେ । ନବୀନ ଭିଡିଓ ବାର୍ତ୍ତାରେ କହିଥିଲେ ଯେ, ଏବେ ବି ଆମେ ହାରିନାହୁଁ। ଲୋକଙ୍କ ବିଶ୍ଵାସ ମଧ୍ୟ ହରାଇନାହୁଁ। ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛର କାଉଣ୍ଟର କରିପାରିଲୁ ନାହିଁ। ଯାହାର ଉତ୍ତରରେ ନବୀନଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।