ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏମ୍ସ ନିଜର ପ୍ରେସ ବିବୃତିରେ କହିଛି ଯେ, ମନମୋହନ ସିଂ ଡିସେମ୍ବର ୨୬ରେ ଘରେ ଅଚାନକ ଅଚେତ ହୋଇ ପଡିଥିଲେ । ତାଙ୍କୁ ରାତି ୮ଟା ୬ରେ ଏମ୍ସର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଶତ ଚେଷ୍ଟା ପରେ ବି ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ । ଆଉ ରାତି ୯ଟା ୫୧ ମିନିଟରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା ।
ଡ. ମନମୋହନ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ପଦରେ ରହି ଦେଶର ଶାସନଭାର ସମ୍ଭାଳିଛନ୍ତି। ସେ ମୋଟ୍ ୩୩ ବର୍ଷ ପର୍ଯ୍ୟନ୍ତ ଦେଶର ରାଜ୍ୟସଭା ସଦସ୍ୟ ରହିଥିଲେ। ଚଳିତ ବର୍ଷ ଆରମ୍ଭରେ ରାଜ୍ୟସଭା ସାଂସଦ ଭାବେ କାର୍ୟ୍ୟ କାଳ ସରିବା ସହିତ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ।
୧୯୯୧ ମସିହାରେ ମନମୋହନ ସିଂହ ରାଜ୍ୟସଭା ସାଂସଦ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଜ୍ୟସଭାରେ ୪ ମାସ ରହିବା ପରେ ସେହି ବର୍ଷ ଜୁନ ମାସରେ ସେ ପିଭି ନରସିହ୍ନା ରାଓଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୋଇଥିଲେ। ୧୯୯୧ରୁ ୧୯୯୬ ପର୍ୟ୍ୟ ନ୍ତ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ନିଜେ ଅର୍ଥମନ୍ତ୍ରୀ ଥିବା ସମୟରେ ଦେଶରେ ବ୍ୟାପକ ଆର୍ଥିକ ସୁଧାର ଆଣିବା ଦିଗରେ କାମ କରିଥିଲେ।
ଏମିତି ରହିଥିଲା ମନମୋହନ ସିଂଙ୍କ ୫ ଦଶନ୍ଧିର ଲମ୍ବା କ୍ୟାରିୟର
୧୯୫୪- ପଞ୍ଜାବ ବିଶ୍ୱ ବିଦ୍ୟାଳୟରୁ ଇକୋନୋମିକ୍ସରେ ମାଷ୍ଟର୍ସ ଉପାଧି ପ୍ରାପ୍ତ ।
୧୯୫୭- କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟରୁ ଆର୍ଥିକ ଟ୍ରାଇପୋସ(ତିନି ବର୍ଷୀୟା ଡିଗ୍ରୀ ପାଠ୍ୟକ୍ରମ) ।
୧୯୬୨- ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଡି ଫିଲ୍ ।
୧୯୭୧- ବାଣିଜ୍ୟ ମନ୍ତ୍ରଣାଳୟରେ ଆର୍ଥିକ ପରାମର୍ଶଦାତା ଭାବେ ଭାରତ ସରକାରରେ ସାମିଲ ହେଲେ ।
୧୯୭୨- ଅର୍ଥ ମନ୍ତ୍ରଣାଳୟରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତ ।
୧୯୮୦ରୁ ୧୯୮୨- ଯୋଜନା ଆୟୋଗର ସଦସ୍ୟ ।
୧୯୮୨ରୁ ୧୯୮୫- ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ।
୧୯୮୫ରୁ ୧୯୮୭- ଯୋଜନା ଆୟୋଗର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କଲେ ।
୧୯୮୭ରୁ ୧୯୯୦- ଜିନେଭାରେ ଦକ୍ଷିଣ ଆୟୋଗ ମହାସଚିବ ।
୧୯୯୦- ଅର୍ଥ ବ୍ୟାପାରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ ।
୧୯୯୧- ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ ।
୧୯୯୧- ଆସାମରୁ ପ୍ରଥମ ଥର ରାଜ୍ୟସଭା ସଦସ୍ୟ ହେଲେ ।
୧୯୯୧ରୁ ୧୯୯୬- ପିଭି ନରସିମାହ ସରକାରରେ ଅର୍ଥ ମନ୍ତ୍ରୀ ।
୧୯୯୮ରୁ ୨୦୦୪- ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ ।
୨୦୦୪ରୁ ୨୦୧୪- ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ।