ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଆନ୍ନା ହଜାରେ ଶୋକ ପ୍ରକାଶ କରିଛନ୍ତି । ଇଣ୍ଡିଆ ଏଗେନଷ୍ଟ କରପ୍ସନ ବ୍ୟାନରରେ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରିଥିବା ଆନ୍ନା ହଜାରେ କହିଛନ୍ତି ମନମୋହନ ସିଂ ଜଣେ ଭଲ ବ୍ୟକ୍ତିତ୍ୱ ଥିଲେ । ଯିଏ ଜନ୍ମ ନେଇଛି ତାଙ୍କୁ ଦିନେ ଦିନେ ଆରପାରିକୁ ଯିବାକୁ ପଡିବ । କିନ୍ତୁ କିଛି ଲୋକ ଏମିତି କିଛି ଛାଡି ଯାଆନ୍ତି ଯାହା ଦଶନ୍ଧି ଦଶନ୍ଧି ଧରି ମନେ ରଖାଯାଏ । ମନମୋହନ ସିଂ ଦେଶର ଅର୍ଥବ୍ୟବସ୍ଥାକୁ ଏକ ନୂତନ ଦିଗ ଦେଇଛନ୍ତି । ସେ ସମାଜ ଓ ଦେଶ ପାଇଁ ସର୍ବଦା ଚିନ୍ତା କରୁଥିଲେ । ଦେଶ ଅର୍ଥନୀତିର ଉଦାରୀକରଣରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଏଥିପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ । ତାଙ୍କ ପ୍ରୟାସ କାରଣରୁ ଦେଶ ପ୍ରଗତିର ପଥରେ ଚାଲିଲା ବୋଲି ଆନ୍ନା ହଜାରେ କହିଛନ୍ତି ।
ସେ କହିଛନ୍ତି, ଯେବେ ମୁଁ ଆନ୍ଦୋଳନ କରୁଥିଲି ଦୁଇ ଥର ତାଙ୍କ ଘରେ ବୈଠକ ହୋଇଛି । ଏହି ସମୟରେ ମନମୋହନ ତତ୍କାଳ ନିଷ୍ପତ୍ତି ନେଉଥିଲେ । ସେ ସଠିକ ନିଷ୍ପତ୍ତି ନେଉଥିଲେ । ସେ ଏଥିପାଇଁ ଉଦାହରଣ ସାଜିଛନ୍ତି କାରଣ କେମିତି ସମାଜ ଓ ଦେଶ ବିଷୟରେ ଆପଣ ଭଲ କାମ କରି ପାରିବେ । ମୁଁ କେବଳ ଏତିକି କହିବି ଯେ, ମନମୋହନ ସିଂ ଆଜି ଆମ ଗହଣରେ ନାହାନ୍ତି ମାତ୍ର ସେ ସ୍ମୃତିରେ ସର୍ବଦା ଉଜ୍ଜିବୀତ ହୋଇ ରହିବେ ।
ସୂଚନାଯୋଗ୍ୟ, ଆନ୍ନା ହଜାରେ ଲୋକପାଳର ନିଯୁକ୍ତି ଓ ଦୁର୍ନୀତି ବିରୋଧରେ ତ୍ୱରିତ ତଦନ୍ତ ଦାବି କରି ଆନ୍ଦୋଳନ ଚଳାଇଥିଲେ । ଦିଲ୍ଲୀର ରାମଲୀଲା ମଇଦାନରେ ସେ ଆମରଣ ଅନଶନରେ ବସିଥିଲେ । ତାଙ୍କ ଆନ୍ଦୋଳନର ପ୍ରଭାବ ସମଗ୍ର ଦେଶରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଆନ୍ଦୋଳନ କଂଗ୍ରେସ ସରକାରକୁ ଦୋହଲାଇ ଦେଇଥିଲା । ଏହି ଆନ୍ଦୋଳନରୁ ଆମ୍ ଆଦମୀ ପାର୍ଟିର ଜନ୍ମ ନେଇଥିଲା । କିନ୍ତୁ ଆନ୍ନା ହଜାରେ ରାଜନୈତିକ ଦଳ ଗଠନ ବିରୋଧରେ ଥିଲେ ।