ନୂଆଦିଲ୍ଲୀ: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ଅନ୍ତରୀଣ ସରକାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛି । ଅଗଷ୍ଟ ୫ରେ କ୍ଷମତା ଅପସାରଣ ପରେ ବାୟୁସେନାର ଏକ ହେଲିକପ୍ଟରରେ ଗାଜିଆବାଦର ହିଣ୍ଡେନବର୍ଗ ଏୟାରବେସରେ ଓହ୍ଲାଇଥିଲେ ଶେଖ ହସିନା । ଏହାପରଠୁ ସେ ଦିଲ୍ଲୀରେ ଏକ ଅଜ୍ଞାତ ସ୍ଥାନରେ ଅଛନ୍ତି । ଗତ ସପ୍ତାହରେ ବାଂଲାଦେଶ ପକ୍ଷରୁ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ କୂଟନୈତିକସ୍ତରରେ ଏକ ଚିଠି ଆସିଥିଲା । କିନ୍ତୁ ଭାରତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲା । ଏବେ ସରକାରୀ ସୂତ୍ର ଅନୁଯାୟୀ, ଶେଖ ହସିନାଙ୍କୁ ଭାରତ ସରକାର ପ୍ରତ୍ୟର୍ପଣ କରିବା ନେଇ କୌଣସି ବିଚାର କରୁ ନାହାନ୍ତି । ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ।
ପ୍ରଥମ କଥା ବାଂଲାଦେଶ ସହିତ ଭାରତର ପ୍ରତ୍ୟର୍ପଣ ସନ୍ଧିରେ କୌଣସି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟର୍ପଣ କରାଯିବା ନେଇ ଉଲ୍ଲେଖ ନାହିଁ । ଏହା ବ୍ୟତୀତ ଭାରତ ଭୂ ରାଜନୈତିକ କାରଣରୁ ଏମିତି କରିବାକୁ ଚାହୁଁ ନାହିଁ । ଭାରତକୁ ଲାଗୁଛି ଯେ, ପରିସ୍ଥିତି ବଦଳିଲେ ପୁଣି ଥରେ ଶେଖ ସହିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ।
ଅନ୍ୟପଟେ ବାଂଲାଦେଶର ଅନ୍ତରୀଣ ସରକାର ପାଖରେ କୂଟନୈତିକ ଚିଠି ପଠାଇବା ବ୍ୟତୀତ ଭାରତ ଉପରେ ଚାପ ପକାଇବାର କୌଣସି ବିକଳ୍ପ ନାହିଁ । ଶେଖ ହସିନା ପୂର୍ବରୁ ମଧ୍ୟ ଅନେକ ବର୍ଷ ଭାରତରେ ରହି ସାରିଛନ୍ତି । ତାଙ୍କ ପୁଅ ଓ ଝିଅ ମଧ୍ୟ ଭାରତରେ ରହୁଛନ୍ତି । ଏମିତିରେ ତାଙ୍କ ପାଇଁ ବାଂଲାଦେଶରୁ ବାହାରିବା ପରେ ସବୁଠୁ ସହଜ ଏବଂ ନିରାପଦ ରାସ୍ତା ଭାରତ ହିଁ ଥିଲା ।
ଶେଖ ହସିନାଙ୍କ ପାଇଁ ଭାରତରେ ରହି ବାଂଲାଦେଶ ରାଜନୀତିକୁ ପ୍ରଭାବିତ କରିବା ସହଜ ହେବ । ଭାରତ ମଧ୍ୟ ଶେଖ ହସିନାଙ୍କ ମହତ୍ୱକୁ ବୁଝି ଆସିଛି । ଶେଖ ସହିନା ନିଜର ୧୫ ବର୍ଷର ଶାସନ କାଳରେ ଚରମପନ୍ଥୀଙ୍କ ଉପରେ ଲଗାମ ଲଗାଇ ଆସିଥିଲେ । ଏହା ବ୍ୟତୀତ ସୀମା ସଂଲଗ୍ନ ପ୍ରସଙ୍ଗରେ ମଧ୍ୟ ଶାନ୍ତପୂର୍ବକ ସମାଧାନ ହୋଇଥିଲା । ଦୁଇ ଦେଶ ମଧ୍ୟରେ କାରବାର ଶେଖ ହସିନାଙ୍କ ଅମଳରେ ଦ୍ରୁତ ଗତିରେ ଆଗକୁ ବଢିଥିଲା ।