ଭୁବନେଶ୍ୱର : ପରଲୋକରେ ଭାରତର ଅର୍ଥନୀତିର ବିନ୍ଧାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ । ଗୁରୁବାର ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତେବେ ଭାରତୀୟ ଅର୍ଥନୀତିର ପ୍ରମୁଖ ସଂସ୍କାରକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଓଡ଼ିଶା ସହ ପାରିବାରିକ ସମ୍ପର୍କ ରହିଥିଲା । ଜଣେ ଅଣ ଓଡ଼ିଆ ହୋଇ ମଧ୍ୟ ସେ ଓଡ଼ିଆ ଖାଦ୍ୟ, ଓଡ଼ିଆ ପରମ୍ପରା ଓ ଓଡ଼ିଆ ଚାଲି ଚଳଣି ପ୍ରତି ଆକର୍ଷିତ ଥିଲେ। ଯେତେବେଳେ ଓଡ଼ିଶା ଆସୁଥିଲେ କିଛି ସମୟ ଏହି ବାତାବରଣରେ ସମୟ ବିତାଉଥିଲେ।
ଓଡ଼ିଶାରେ ଥିଲା ମନମୋହନ ସିଂହଙ୍କ ସମୁଦି ଘର । ମନମୋହନ ଦ୍ଵିତୀୟ ଝିଅ ଦାମନ ସିଂହ ଓଡ଼ିଆ ପୁଅଙ୍କୁ ବିବାହ କରିଥିଲେ । ଏଣୁ ଓଡ଼ିଶାକୁ ଖୁବ ଭଲ ପାଉଥିଲେ ଭୂତପୂର୍ବ ପ୍ରଧାନମନ୍ତ୍ରୀ । ପଦରେ ରହିବା ପୂର୍ବରୁ ଓ ପରେ ମଧ୍ୟ ଓଡ଼ିଶାକୁ ତାଙ୍କର ଯିବା ଆସିବା ଲାଗି ରହିଥିଲା । ଦାମନ ସିଂହ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସେଣ୍ଟ ଷ୍ଟିଫେନସ୍ କଲେଜରୁ ସ୍ନାତକ ହାସଲ କରିବା ପରେ ଗୁଜରାଟର IRMA ରେ ରୁରାଲ ମ୍ୟାନେଜମେଣ୍ଟ ଶିକ୍ଷା ଲାଭ କରିଥିଲେ । ସେ ଜଣେ ସୁଲେଖିକା ଭାବେ ମଧ୍ୟ ପରିଚିତ । ୧୯୯୧ ମସିହାରେ ସେ ପୋଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ଦାମନଙ୍କ ଡାକ ନାଁ ନୋନୁ। ଶ୍ୱଶୂରଙ୍କ ଘରେ ସେ ଏହି ନାଁରେ ପରିଚିତ ଥିଲେ ।
କହିବାକୁ ଗଲେ ମନମୋହନଙ୍କ ପରିବାର ଭଳି ଅଶୋକଙ୍କ ପରିବାର ମଧ୍ୟ ଅତ୍ୟନ୍ତ ସରଳ ଏବଂ ନିର୍ବିବାଦୀୟ ଥିଲା । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜାନୁୟାରୀ ୨୦୧୨ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କ ପତ୍ନୀ ଗୁରୁଶରନ୍ କୌର ଅଶୋକଙ୍କ ଭୁବନେଶ୍ୱର ଘରକୁ ଆସିଥିଲେ । ଅଶୋକଙ୍କ ପରିବାର କଟକର ବାସିନ୍ଦା ହୋଇଥିଲେ ମଧ୍ୟ ଏବେ ଭୁବନେଶ୍ୱର ଖାରବେଳ ନଗରରେ ରହୁଛନ୍ତି । ସେତେବେଳେ ଗୁରୁଶରନଙ୍କୁ ଦେଖି ପାଇଁ ଅଶୋକଙ୍କ ମା’ ରତ୍ନମାଳା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।