ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମୁତିପୀଠ ନିର୍ମାଣ କରାଯିବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଗୃହମନ୍ତ୍ରୀ ଅମିତ ଶାହ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଡକ୍ଟର ସିଂହଙ୍କ ପରିବାରକୁ କହିଛନ୍ତି ଯେ ସରକାର ସ୍ମାରକୀ ପାଇଁ ଜମି ଆବଣ୍ଟନ କରିବେ ଏବଂ ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ। ସେପଟେ ତାଙ୍କର ଅନ୍ତିମ ସଂସ୍କାର ଓ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି।
ମନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କରି ଦେଶବ୍ୟାପୀ ତାଙ୍କୁ ଦଳ ଓ ଆଞ୍ଚଳିକ ସ୍ତରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିଭିନ୍ନ ଉପାୟରେ ଜାତୀୟ ଜୀବନରେ ତାଙ୍କର ଅବଦାନକୁ ସ୍ମରଣ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସାରା ବିଶ୍ୱରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତର ସିଂହଙ୍କୁ ତାଙ୍କ ବାସଭବନ ୩ ମୋତିଲାଲ ନେହେରୁ ମାର୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶନିବାର (୨୭ ଡିସେମ୍ବର ୨୦୨୪) ପୂର୍ବାହ୍ନ ୧୧ଟା ୪୫ମିନିଟରେ ଦିଲ୍ଲୀର ନିଗମବୋଧ ଘାଟରେ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନେକ ମନ୍ତ୍ରୀ ନିଗମବୋଧ ଘାଟରେ ପହଞ୍ଚି ଅନ୍ତିମ ସଂସ୍କାରରେ ଯୋଗଦେବେ।
କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି ଯେ ଡିସେମ୍ବର ୨୮ ତାରିଖ ଶନିବାର ସକାଳ ସାଢ଼େ ୯ଟାରେ ଦିଲ୍ଲୀସ୍ଥିତ ଏଆଇସିସି (ଅଖିଳ ଭାରତୀୟ କଂଗ୍ରେସ କମିଟି) ମୁଖ୍ୟାଳୟ ନିଗମବୋଧ ଘାଟ ଅଭିମୁଖେ ଯାତ୍ରା କରିବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଚେଞ୍ଜ ଅଫ୍ ଗାର୍ଡ ସମାରୋହ ଅନୁଷ୍ଠିତ ହେବ ନାହିଁ। ଏହା ଏକ ସାମରିକ ପରମ୍ପରା। ଏଥିରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀରୁ ଦାୟିତ୍ୱ ଗ୍ରହଣ କରିଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସାରା ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।
ଅଧିକ ପଢ଼ନ୍ତୁ: ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମ ସଂସ୍କାର