ମେଲବର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି) ୨୦୨୪-୨୫ ଅଧୀନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଗତ ୨୬ ତାରିଖ ଠାରୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ଖେଳାଯାଉଛି। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ଯୁବ ବ୍ୟାଟର ନୀତିଶ କୁମାର ରେଡ୍ଡୀ ଶତକ ହାସଲ କରିଛନ୍ତି। ସେ ୧୭୧ଟି ବଲ୍ ଖେଲି ୧୦ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ଏହା ହେଉଛି ତାଙ୍କର ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ।
ଏଥି ସହିତ ନୀତିଶ କୁମାର ସାଥୀ କ୍ରିକେଟ୍ର ୱାଶିଂଟନ୍ ସୁନ୍ଦରଙ୍କ ସହିତ ଶତକୀୟ ଭାଗିଦାରୀ (୧୨୭ ରନ୍) ହୋଇଛନ୍ତି। ୱାସିଂଟନ୍ ସୁନ୍ଦର ୫୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି। ଅଷ୍ଟମ ୱିକେଟ୍ରେ ଶତକୀୟ ଭାଗିଦାରୀ ହେବାକୁ ଭାରତୀୟ କ୍ରିକେଟ୍ ପ୍ରଶଂସକ ଓ କ୍ରୀଡ଼ାପ୍ରେମୀମାନେ ନିଶ୍ଚିତ ଭାବେ ପ୍ରଶଂସା କରୁଛନ୍ତି।
ଘରୋଇ ଦଳ ଏହି ମୁକାବିଲାର ପ୍ରଥମ ପାଳିରେ ୪୭୪ ରନ୍ ସଂଗ୍ରହ କରିଥିବା ବେଳେ ଅତିଥି ଟିମ୍ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ତୃତୀୟ ଦିନରେ ଶନିବାର ୯ୱିକେଟ୍ ହରାଇ ୩୫୫ ରନ୍ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆ ଠାରୁ ୧୧୯ ରନ୍ ପଛୁଆ ରହିଛି। ଯୁବ କ୍ରିକେଟ୍ର ନୀତିଶ କୁମାର ରେଡ୍ଡୀ ଓ ମହମ୍ମଦ ସିରାଜ କ୍ରିଜ୍ରେ ଅଛନ୍ତି।
ଭାରତ ବିପର୍ଯ୍ୟୟ ଆଡ଼କୁ ଗତି କରୁଥିବା ବେଳେ ୱାଶିଂଟନ ସୁନ୍ଦରଙ୍କ ସହିତ ନୀତିଶ ରେଡ୍ଡୀ ଉପସ୍ଥିତ ବୁଦ୍ଧି ଲଗାଇ ବ୍ୟାଟିଂ କରିଛନ୍ତି। ସେମାନେ ଏକ ଲୟରେ ବ୍ୟାଟିଂ କରିଥିବାରୁ ଭାରତ ଫଲୋଅନ୍ରୁ ବର୍ତ୍ତି ଯାଇଛି। ନୀତିଶ କୁମାର ରେଡ୍ଡୀ ଟେଷ୍ଟ କ୍ୟାରିୟରରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ ପରେ ଚଳଚ୍ଚିତ୍ର ‘ପୁଷ୍ପା’ ଶୈଳୀରେ ସେ ଉତ୍ସବ ପାଳନ କରିଥିଲେ। ନୀତୀଶ ୮୪ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ।
ଅଷ୍ଟ୍ରେଲିଆର ପ୍ରଥମ ପାଳିର ଜବାବରେ ଭାରତର ଯଶସ୍ବୀ ଜୟସ୍ବାଲ ୮୨ ରନ୍ କରିଥିବା ବେଳେ ରୋହିତ ଶର୍ମା ୩ ରନ୍, କେଏଲ୍ ରାହୁଲ ୨୪ ରନ୍, ବିରାଟ କୋହଲି ୩୬ ରନ୍, ଋଷଭ ପନ୍ତ ୨୮ ରନ୍ ଓ ରବୀନ୍ଦ୍ର ଜାଦେଜା ୧୭ ରନ୍ କରିଥିଲେ।
ଅଧିକ ପଢ଼ନ୍ତୁ: ମହାକୁମ୍ଭ ନେଇ ଅଧିକାରୀଙ୍କ ସହ ଡିଜିପିଙ୍କ ବୈଠକ