ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ମେଲବର୍ଣ୍ଣରେ ଖେଳା ଯାଉଛି। ଚତୁର୍ଥ ମ୍ୟାଚ୍ର ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୯ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି। କ୍ରିଜରେ ନୀତିଶ ରେଡ୍ଡୀ ୧୦୫ ରନ ଓ ମହମ୍ମଦ ସିରାଜ ୨ ରନ କରି ଅପରାଜିତ ଅଛନ୍ତି। ଭାରତ ଏବେ ବି ଘରୋଇ ଅଷ୍ଟ୍ରେଲିଆଠୁ ୧୦୬ ରନ ପଛରେ ରହିଛି। ତେବେ ଖରାପ ଆଲୋକ ଯୋଗୁଁ ତୃତୀୟ ଦିନର ଖେଳ ଶୀଘ୍ର ଶେଷ କରାଯାଇଥିଲା। ତେଣୁ ଚତୁର୍ଥ ଦିନ ଖେଳ ନିର୍ଦ୍ଧାରିତ ସମୟଠୁ ଆଗୁଆ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି ।
ଖରାପ ଆଲୋକ ଯୋଗୁଁ ତୃତୀୟ ଦିନର ଶେଷ ସେସନର ଖେଳ ସଂପୂର୍ଣ୍ଣ ହୋଇ ପାରି ନ ଥିଲା। ତେଣୁ ଏହାର ଭରଣା ଚତୁର୍ଥ ଦିନରେ କରାଯିବ। ଏହି କାରଣରୁ ଚତୁର୍ଥ ଦିନର ଖେଳ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ ଭାରତୀୟ ସମୟ ସକାଳ ୪ଟା ୩୦ରେ ଆରମ୍ଭ ହେବ। ଏହା ପୂର୍ବରୁ ମ୍ୟାଚ୍ ସକାଳ ୫ଟାରୁ ଆରମ୍ଭ ହେଉଥିଲା। ତେଣୁ କାଲି ଭାରତୀୟଙ୍କୁ ଶୀଘ୍ର ଉଠିବାକୁ ପଡିପାରେ ।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ଇନିସରେ ୪୭୪ ରନ କରିଥିଲା । ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ସଙ୍କଟରେ ପଡିଥିଲା । ଏକଦା ୨୨୧ ରନରେ ୭ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥିବା ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ନୀତିଶ ରେଡ୍ଡୀ ଓ ଓ୍ଵାଶିଂଟନ ସୁନ୍ଦର। ଉଭୟ ଅଷ୍ଟମ ଓ୍ଵିକେଟ୍ ପାଇଁ ୧୨୭ ରନ ଯୋଡ଼ି ଦଳର କେବଳ ଫଲୋଅନ ଏଡାଇ ନାହାନ୍ତି ବରଂ ମ୍ୟାଚରେ ଭାରତର ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜୀବିତ ରଖିଛନ୍ତି । ସୁନ୍ଦର ୫୦ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିବା ବେଳେ ନୀତିଶ ୧୦୫ ରନ କରି ଅପରାଜିତ ଅଛନ୍ତି।