ସେଞ୍ଚୁରିଅନ୍: ଦକ୍ଷିଣ ଆଫ୍ରିକା ବନାମ ପାକିସ୍ତାନ ପ୍ରଥମ ଟେଷ୍ଟ ମ୍ୟାଚରେ ଏମିତି ଏକ ସଫଳତା ଦେଖିବାକୁ ମିଳିଛି ଯାହା ଟେଷ୍ଟ କ୍ରିକେଟର ଇତିହାସକୁ ବଦଳାଇ ଦେଇଛି। ପାକିସ୍ତାନର ପ୍ରଥମ ଇନିଂସ୍ ମାତ୍ର ୨୧୧ ରନ୍ରେ ସୀମିତ ରହିଥିଲା, ଯାହାର ଜବାବରେ ଆଫ୍ରିକା ୩୦୧ ରନ୍ କରି ପ୍ରଥମ ଇନିଂସରେ ୯୦ ରନ୍ ର ଅଗ୍ରଣୀ ହାସଲ କରିଥିଲା। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ପାକିସ୍ତାନ ଦ୍ୱିତୀୟ ଇନିଂସରେ ୮୮ ରନ୍ରେ ୩ ୱିକେଟ୍ ହରାଇଥିବା ବେଳେ ଏବେ ୨ ରନ୍ ପଛରେ ରହିଛି। ପାକିସ୍ତାନ ଦଳର ଖରାପ ବ୍ୟାଟିଂ ଅପେକ୍ଷା ଆଫ୍ରିକା ପକ୍ଷରୁ ଟେଷ୍ଟ ପଦାର୍ପଣ କରିଥିବା କୋର୍ବିନ୍ ବୋସ୍କ ବ୍ୟାଟିଂରେ ୮୧ ରନ୍ର ଯୋଗଦାନ ଦେବା ସହ ପ୍ରଥମ ଇନିଂସରେ ୪ ୱିକେଟ୍ ନେଇଥିଲେ।
ପ୍ରଥମ ଇନିଂସରେ କୋର୍ବିନ୍ ବୋସ୍କ ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇ ୮୧ ରନ୍ କରି ଅପରାଜିତ ରହିଥିଲେ। ଗୋଟିଏ ସମୟରେ ଆଫ୍ରିକା ଦଳ ୨୧୩ ସ୍କୋରରେ ୮ ଓ୍ଵିକେଟ୍ ହରାଇଥିଲା, କିନ୍ତୁ ବୋସ୍କଙ୍କ ଯୋଗୁଁ ସେମାନେ ୩୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଥିଲେ। ଏହି ସମୟରେ ଆଫ୍ରିକୀୟ ବୋଲରମାନେ ପାକ୍ ବ୍ୟାଟ୍ସମ୍ୟାନଙ୍କୁ ଘୋର ଅସୁବିଧାରେ ପକାଇଥିଲେ। ବୋସ୍କ ଡାହାଣ ହାତରେ ଦ୍ରୁତ ବୋଲିଂ କରୁଥିବା ବେଳେ ପ୍ରଥମ ଇନିଂସରେ ସେ ପାକିସ୍ତାନ ଅଧିନାୟକ ଶାନ୍ ମାସୁଦଙ୍କ ସମେତ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
କୋର୍ବିନ୍ ବୋସ୍କ ଏବେ ଅଷ୍ଟମ କିମ୍ବା ନିମ୍ନ କ୍ରମରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂରେ ସର୍ବାଧିକ ସ୍କୋରର ହୋଇଛନ୍ତି। ଏହି ମାମଲାରେ ସେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେହିପରି ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସରେ ବୋଶ ମଧ୍ୟ ନବମ ସ୍ଥାନରେ ବ୍ୟାଟିଂ କରି ପଦାର୍ପଣରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ଏହା ବ୍ୟତୀତ ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଖେଳାଳି ଭାବେ ଟେଷ୍ଟ ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରିବା ସହ ୪ ୱିକେଟ୍ ନେବାର ରେକର୍ଡ ମଧ୍ୟ କରିଛନ୍ତି। ବୋଶ ତାଙ୍କ ୮୧ ରନ୍ ର ଇନିଂସରେ ୧୫ ଚୌକା ମାରିଥିଲେ।
ଅଧିକ ପଢ଼ନ୍ତୁ: ମେଲବର୍ଣ୍ଣ ଟେଷ୍ଟରେ ଫଲୋଅନ ପାଇଁ ଭାରତର ସଂଘର୍ଷ