ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ସମାପ୍ତ ହୋଇଛି । ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ବହୁତ ରୋମାଞ୍ଚକର ରହିଥିଲା । ଷ୍ଟିଭ୍ ସ୍ମିଥ ଟେଷ୍ଟ କ୍ୟାରିୟରର ୩୪ତମ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନର ବିଶାଳ ସ୍କୋର କରିଛି । ଜବାବରେ ଭାରତୀୟ ବ୍ୟାଟର ପୁଣି ଥରେ ନିରାଶଜନକ ପ୍ରଦର୍ଶନ କରିଛନ୍ତି । ଯଶସ୍ୱୀ ଜୟସ୍ୱାଲଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ଅଧିନାୟକ ରୋହିତ ନିଜର ଖରାପ ଫର୍ମ ଜାରି ରଖି ଦଳ ପାଇଁ ସବୁଠୁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୬୪ ରନରେ ଅଧା ବ୍ୟାଟରକୁ ହରାଇ ସଙ୍କଟରେ ପଡିଛି । ଦଳ ଏବେ ବି ୩୧୦ ରନରେ ପଛୁଆ ରହିଛି ଏବଂ ଫଲୋଅନ ଏଡାଇବା ପାଇଁ ଦରକାର ୧୧୧ ରନ । କ୍ରିଜରେ ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଅଛନ୍ତି ।
ବ୍ରିସବେନ ମ୍ୟାଚ୍ ପରି ମେଲବର୍ଣ୍ଣରେ ମଧ୍ୟ ଭାରତର ସମାନ ଅବସ୍ଥା । ତୃତୀୟ ଟେଷ୍ଟରେ ବର୍ଷା ଭାରତକୁ ଅନେକାଂଶରେ ରକ୍ଷା କରିଥିବା ବେଳେ ମେଲବର୍ଣ୍ଣରେ ବର୍ଷାର ଆଶଙ୍କା ନାହିଁ । ଏବେ ତୃତୀୟ ଦିନରେ ଭାରତର ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଉପରେ ବହୁତ କିଛି ଆଶା ରହିଛି । ଏହି ସିରିଜରେ ପ୍ରଥମ ଟେଷ୍ଟକୁ ବାଦ୍ ଦେଲେ ଭାରତର ବ୍ୟାଟର ଏମିତି ପ୍ରଦର୍ଶନ କରୁଛନ୍ତି ଯେ, ଦଳକୁ ମ୍ୟାଚ୍ ଜିତିବା ଦୂରର କଥା ଫଲୋଅନ ଏଡାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି ।
ଅଧିନାୟକ ରୋହିତ ଶର୍ମା ଟେଷ୍ଟରେ କେବେ ଭଲ ଇନିଂସ ଖେଳିଥିଲେ ତାହା ବି ମନେ ପଡୁନି । ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଷଷ୍ଠ ନମ୍ବରରେ ବ୍ୟାଟିଂ କରିଥିବା ରୋହିତ ଆଜି ଓପନିଂ କରିଥିଲେ । ଆଶା କରାଯାଉଥିଲା ନିଜ ପସନ୍ଦର ସ୍ଥାନରେ ବ୍ୟାଟିଂ କରି ହିଟମ୍ୟାନ ଫର୍ମକୁ ଫେରିବେ ଏବଂ ଭାରତକୁ ଦୃଢ ଆରମ୍ଭ ଦେବେ । କିନ୍ତୁ ସେ ୩ ରନ କରି ଆଉଟ୍ ହୋଇଛନ୍ତି । କେଏଲ ରାହୁଲ ଭଲ ଆରମ୍ଭ କରିଥିଲେ ହେଁ ୨୪ ରନ କରି ଆଉଟ୍ ହୋଇଛନ୍ତି । ୫୧ ରନରେ ଦୁଇ ଓପନରଙ୍କୁ ହରାଇ ଅଡୁଆରେ ପଡିଥିବା ଭାରତର ସ୍ଥିତିକୁ ମଜବୁତ କରିଥିଲେ ଜୟସ୍ୱାଲ ଓ କୋହଲି । ବିଶେଷ କରି ଜୟସ୍ୱାଲ ଦଦମାର ବ୍ୟାଟିଂ କରି କେବଳ ଅର୍ଦ୍ଧଶତକ ହାସଲ କରି ନ ଥିଲେ ବରଂ ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ ।
ଜୟସ୍ୱାଲ ଓ କୋହଲି ତୃତୀୟ ୱିକେଟରେ ଶତକୀୟ ଭାଗିଦାରୀ କରିଥିଲେ । କିନ୍ତୁ ଜୟସ୍ୱାଲ ଏକ ରନ ନେବା ଚକ୍କରରେ ଦୁଭାର୍ଗ୍ୟବଶତଃ ରନ ଆଉଟ୍ ହୋଇଥିଲେ । ୧୫୩ ରନରେ ୨ ୱିକେଟ ହରାଇ ଭଲ ସ୍ଥିତିରେ ଥିବା ଭାରତ ଖେଳ ଶେଷ ବେଳକୁ ୫ ୱିକେଟ ହରାଇ ୧୬୪ ରନ କରିଛି । ଜୟସ୍ୱାଲଙ୍କ ରନ ଆଉଟ୍ ପରେ କୋହଲି ନିଜର ଲୟ ହରାଇ ପୁଣି ଅଫ ଷ୍ଟମ୍ପ ବାହାରର ବଲ୍ ଖେଳିବାକୁ ଯାଇ ଆଉଟ୍ ହୋଇଛନ୍ତି । ସେ ୩୬ ରନ କରିଥିଲେ । ନାଇଟୱାଚମ୍ୟାନ ଆକାଶଦୀପ ଖାତା ଖୋଲି ପାରି ନ ଥିଲେ । ପନ୍ତ ୬ ରନ ଓ ଜାଡେଜା ୪ ରନ କରି କ୍ରିଜରେ ଅଛନ୍ତି ।
ଫଲୋଅନ ଏଡାଇବା ପାଇଁ ଭାରତକୁ ଏବେ ବି ଦରକାର ୧୧୧ ରନ । ଏବେ ମ୍ୟାଚରେ କଙ୍ଗାରୁ ଦଳର ପଲ୍ଲା ଭାରି ରହିଛି । ଯଦି ଭାରତ ଏହି ମ୍ୟାଚ୍ ହାରେ ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରେ ପହଞ୍ଚିବାର ରାସ୍ତା ବନ୍ଦ ହୋଇଯିବ । ଏହି ମ୍ୟାଚ୍ ଜିତିବା ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ବହୁତ ଜରୁରୀ ।