ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଠାରୁ ୫ମ୍ୟାଚ ବିଶିଷ୍ଟ ଟେ୍ଷ୍ଟ ଶୃଙ୍ଖଳାର ୪ର୍ଥ ମୁକାବିଲା ଜାରି ରହିଛି। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଘରୋଇ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହାରି ମଧ୍ୟରେ କଙ୍ଗାରୁ ଦଳର ଆଗଧାଡ଼ିର ୪ ଜଣ ଖେଳାଳି ଅର୍ଦ୍ଧଶତକ ଲେଖାଏଁ ରନ୍ ହାସଲ କରିଛନ୍ତି। ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଭଲ ପ୍ରଦର୍ଶନ କରିଥିବା ବେଳେ ଭାରତର ବୋଲିଂ ସେମାନଙ୍କୁ ପ୍ରଭାବ ପକାଇ ପାରି ନଥିଲା। କିନ୍ତୁ ତୃତୀୟ ଅଧିବେଶନରେ ଦ୍ରୁତବୋଲର ଯଶପ୍ରୀତ ବୁମରା ପୁଣି ଥରେ ଆକ୍ରମଣାତ୍ମକ ବୋଲିଂ କରିଛନ୍ତି। ବୁମରାଙ୍କ ହାତରେ ୩ ଜଣ ଖେଳାଳି ଆଉଟ୍ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଅଷ୍ଟ୍ରେଲିଆର ସ୍କୋର ୭୨ ଓଭରରେ ୫ଟି ୱିକେଟ୍ ହରାଇ ୨୫୮ ରନ୍ରେ ପହଞ୍ଚିଛି। ଷ୍ଟିଭ୍ ସ୍ମିଥ (ଅର୍ଦ୍ଧଶକ) ଓ ଆଲେକ୍ସ କେରି କ୍ରିଜ୍ରେ ଅଛନ୍ତି।
କଙ୍ଗାରୁ ଦଳର ଖେଳାଳିମାନେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ତୃତୀୟ ଅଧିବେଶନରେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ମିଚେଲ ମାର୍ସ ମାତ୍ର ୪ ରନ୍ ସଂଗ୍ରହ କରି ବୁମରାଙ୍କ ବଲ୍ରେ ଆଉଟ୍ ହୋଇଛନ୍ତି। ଭାରତ ପାଇଁ ଚିନ୍ତା ବଢ଼ାଉଥିବା ଖେଳାଳି ଟ୍ରାଭିଡ୍ ହେଡ୍ ଏଥର ଖାତା ଖୋଲି ନପାଇ ପାଭଲି୍ଅନ୍କୁ ଫେରିଯାଇଛନ୍ତି। ସେ ୭ଟି ବଲ୍ ଖେଳି ଯଶପ୍ରୀତ୍ ବୁମରାଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ମାର୍ନସ ଲାବୁସାନ୍ ଆଉଟ୍ ହୋଇଥିଲେ। ତାଙ୍କୁ ୱାଶିଂଟନ୍ ସୁନ୍ଦର ଆଉଟ୍ କରିଥିଲେ। କିନ୍ତୁ ସେ ପଡ଼ିଆ ଛାଡ଼ିବା ପୂର୍ବରୁ ୭୨ ରନ୍ ସଂଗ୍ରହ କରିଥିଲେ। ୧୪୫ଟି ବଲ୍ ଖେଲି ୭ଟି ଚୌକା ମାରିଥିଲେ।
କଙ୍ଗାରୁ ଦଳ ଦ୍ବିତୀୟ ୱିକେଟ୍ ଭାବେ ଉସମାନ୍ ଖୱାଜାଙ୍କୁ ହରାଇଥିଲା। ବୁମରାଙ୍କ ଦ୍ବାରା ଆଉଟ୍ ହେବା ପୂର୍ବରୁ ସେ ୧୨୧ଟି ବଲ୍ ଖେଳି ୫୭ ରନ୍ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। ଏହା ପୂର୍ବରୁ ପ୍ରାରମ୍ଭିକ ବ୍ୟାଟର ସାମ୍ ଙ୍କୋଷ୍ଟାସ୍ ନିଜର ପଦାର୍ପଣ ମ୍ୟାଚ୍ରେ ଚମକପ୍ରଦ ଅର୍ଦ୍ଧଶତକ ହାସଲ କରି ଦର୍ଶକଙ୍କର ମନ ଜିଣିଛନ୍ତି। ସେ ୬୫ଟି ବଲ୍ ସାମ୍ନା କରି ୬୦ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୬ଟି ଚୌକା ଓ ୨ଟି ଛକା ସାମିଲ ରହିଛି। ସାମ୍ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ।
ଅଧିକ ପଢ଼ନ୍ତୁ: ଭାରତୀୟ ଓ ଖଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ