ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ, ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂ ଆମ ଗହଣରେ ଆଉ ନାହାନ୍ତି । ରାଜ୍ୟସଭାରୁ ଅବସର ନେବା ସହ ନିଜର ରାଜନୈତିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଆରପାରିକୁ ଚାଲି ଯାଇଛନ୍ତି ମନମୋହନ। ଆଜି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଭାରତୀୟ ଅର୍ଥନୀତିରେ ଉଦାରୀକରଣର ଜନକ କୁହାଯାଉଥିବା ମନମୋହନଙ୍କ ପରଲୋକରେ ଦେଶରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ଡ. ମନମୋହନ ସିଂଙ୍କ ପରି ବ୍ୟକ୍ତିତ୍ୱଙ୍କ ନିଧନରେ ସାରା ଦେଶରେ ଶୋକର ଲହରି ଖେଳି ଯାଇଛି। ସାଧାରଣ ପୃଷ୍ଠ ଭୂମିରୁ ଆସି ଜଣେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ହୋଇଥିଲେ ମନମୋହନ। ସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦରେ କାର୍ଯ୍ୟ କରି ବର୍ଷ ବର୍ଷ ଧରି ଦେଶର ଅର୍ଥନୀତିରେ ନିଜର ସ୍ଵତନ୍ତ୍ର ଛାପ ଛାଡ଼ିଛନ୍ତି। ସଂସଦରେ ତାଙ୍କର କାର୍ଯ୍ୟଶୈଳୀ ବହୁତ ବ୍ୟବହାରିକ ଥିଲା। ଆମର ପ୍ରଧାନମନ୍ତ୍ରୀ ଭାବେ ସେ ଜନତାଙ୍କ ଜୀବନକୁ ସରଳ ଓ ଉନ୍ନତ କରିବା ପାଇଁ ବ୍ୟାପକ ପ୍ରୟାସ କରିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲେଖିଛନ୍ତି, ଇତିହାସ ଆପଣଙ୍କ ଦୟାଳୁ ମୂଲ୍ୟାଙ୍କନ କରିବ ଡ. ମନମୋହନ ସିଂ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନିଧନରେ ଭାରତ ଏକ ଦୂରଦର୍ଶୀ ରାଜନେତା, ଦାଗହୀନ ସତ୍ୟନିଷ୍ଠ ନେତା ଓ ଅଦ୍ଵିତୀୟ ଅର୍ଥଶାସ୍ତ୍ରୀଙ୍କୁ ହରାଇଛି। ଆର୍ଥିକ ଉଦାରୀକରଣ ଓ ତାଙ୍କର ନୀତି କୋଟି କୋଟି ଭାରତୀୟଙ୍କ ଜୀବନରେ ବ୍ୟାପକ ପ୍ରଭାବ ପକାଇଥିଲା। ବସ୍ତୁତଃ ସେ ଭାରତରେ ଏକ ମଧ୍ୟବିତ୍ତ ବର୍ଗ ନିର୍ମାଣ କରିଥିଲେ ଏବଂ କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟକରୁ ବାହାର କରିଥିଲେ।
ସୂଚନାଯୋଗ୍ୟ, ମନମୋହନ ସିଂ ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏମ୍ସ ନିଜର ପ୍ରେସ ବିବୃତିରେ କହିଛି ଯେ, ମନମୋହନ ସିଂ ଡିସେମ୍ବର ୨୬ରେ ଘରେ ଅଚାନକ ଅଚେତ ହୋଇ ପଡିଥିଲେ । ତାଙ୍କୁ ରାତି ୮ଟା ୬ରେ ଏମ୍ସର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଶତ ଚେଷ୍ଟା ପରେ ବି ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ । ଆଉ ରାତି ୯ଟା ୫୧ ମିନିଟରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା ।