ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡଙ୍କ ମଧ୍ୟରୁ ଜଣେ ହାଫିଜ ଅବଦୁଲ ରେହମାନ ମକ୍କିର ମୃତ୍ୟୁ ଘଟିଛି । ଶୁକ୍ରବାର ହୃଦଘାତରେ ତାର ମୃତ୍ୟୁ ଘଟିଥିବା ଜଣା ଯାଇଛି । ମକ୍କିର ଜମାତ ଉଦ ଦାୱାର କମାଣ୍ଡର ହାଫିଜ ସଇଦ ସହ ଘନିଷ୍ଠ ସଂପର୍କ ଥିଲା । ହାଫିଜ ସଇଦ ଅବଦୁଲ ରେହମାନ ମକ୍କିକୁ ଜମାତ ଉଦ ଦାୱାର ଡେପୁଟୀ ଚିଫ୍ ଦାୟିତ୍ୱ ଦେଇଥିଲା । ମକ୍କିର ମୃତ୍ୟୁକୁ ନେଇ ଜମାତ ଉଦ ଦାୱା ଏକ ରିଲିଜ୍ ଜାରି କରିଛି । ଆତଙ୍କୀ ସଂଗଠନର କହିବା କଥା ମକ୍କି ବିଗତ କିଛି ଦିନ ଧରି ଅସୁସ୍ଥ ଥିଲା । ତାର ମଧୁମେହ ସ୍ତର ବଢିଯାଇଥିଲା ଏବଂ ଚିକିତ୍ସା ପାଇଁ ଲାହୋରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାର ମୃତ୍ୟୁ ଘଟିଥିବା କୁହାଯାଇଛି ।
ମକ୍କି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ଲଗାତାର ପାକିସ୍ତାନ ନିକଟରେ ଦାବି କରି ଆସୁଥିଲା । କିନ୍ତୁ ପାକିସ୍ତାନ ସରକାର ସର୍ବଦା ଏହି ଆତଙ୍କୀମାନଙ୍କୁ ନିଜ ଶରଣରେ ରଖିଥିଲା । ଏହି ସବୁ ଆତଙ୍କୀ ଗୋଷ୍ଠୀ ପାକିସ୍ତାନରେ କେବଳ ଆତଙ୍କୀ ଗତିବିଧି ପରିଚାଳନା କରୁ ନଥିଲେ ନାହିଁ ବରଂ ଆତଙ୍କବାଦ ପାଇଁ ଫଣ୍ଡିଂ ଯୋଗାଡ କରୁଥିଲେ । ବହୁତ ଚାପ ପଡିବା ପରେ ଲୋକ ଦେଖାଣିଆ ପାଇଁ ପାକିସ୍ତାନ ଆତଙ୍କୀ ନିରୋଧୀ ଅଦାଲତ ଅବଦୁଲ ରେହମାନ ମକ୍କିକୁ ୨୦୨୦ରେ ୬ ମାସର ଜେଲ୍ ଦଣ୍ଡ ଦେଇଥିଲେ ।
ମକ୍କି ଜମାତ ଉଦ ଦାୱାର ସମସ୍ତ କାର୍ଯ୍ୟ ବୁଝୁଥିଲା ଏବଂ ନିଜେ ପରଦାର ଅଢୁଆରେ ରହୁଥିଲା । ଏଥିପାଇଁ ହାଫିଜ ସଇଦର ନାଁ ବାରମ୍ବାର ସର୍ବସମ୍ମୁଖକୁ ଆସୁଥିଲା । ଉଲଲ୍ଲଖନୀୟ ୨୦୨୩ରେ ମିଳିତ ଜାତିସଂଘ ମକ୍କିକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା । ତାର ଯାତ୍ରା ଉପରେ କଟକଣା ଲଗାଯାଇଥିଲା । ଏପରିକି ତାର ସଂପତ୍ତି ଜବତ କରିବାକୁ ଆଦେଶ ଦିଆଯାଇଥିଲା । ମିଳିତ ଜାତିସଂଘର ଏତେ ଆଦେଶ ପରେ ବି ମକ୍କି ପାକିସ୍ତାନରେ ଆରାମରେ ଖୋଲା ଆକାଶ ତଳେ ବିଚରଣ କରୁଥିଲା ।