ମେଲବର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି-୨୦୨୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଗୁରୁବାର ଠାରୁ ଆରମ୍ବ ହୋଇଯାଇଛି। ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ଆଜି ସକାଳ ୫ଟାରୁ ଆରମ୍ଭ ହୋଇଥିବା ଏହି ମୁକାବିଲାରେ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୨୫ ଓଭରରେ ଅଷ୍ଟ୍ରେଲିଆ ଗୋଟିଏ ଓ୍ଵିକେଟ୍ ହରାଇ ୧୧୨ ରନ୍ କରିଛି। ଉସମାନ ଖୱାଜା ବର୍ତ୍ତମାନ ୩୮ ରନ୍ରେ ଖେଳୁଥିବା ବେଳେ ମାର୍ନସ୍ ଲାବୁସାନେ ୧୨ ରନ୍ କରିଛନ୍ତି।
ଏହି ମ୍ୟାଚ୍ରେ ପଦାର୍ପଣ କରିଥିବା ସାମ୍ କନଷ୍ଟାସଙ୍କୁ ରବୀନ୍ଦ୍ର ଜାଡ଼େଜା ଆଉଟ୍ କରିଛନ୍ତି। କନଷ୍ଟାସ୍ ଆଉଟ୍ ହେବା ପୂର୍ବରୁ ୬୦ ରନ୍ ସଂଗ୍ରହ କରିଛନ୍ତି।
ସୂଚନାଯୋଗ୍ୟ, ୩ଟି ମ୍ୟାଚ୍ ସରିବା ପରେ ଶୃଙ୍ଖଳା ଏବେ ବି ୧-୧ରେ ସମାନ ରହିଛି। ବ୍ରିସ୍ବେନ୍ରେ ତୃତୀୟ ତଥା ଶେଷ ଟେଷ୍ଟ୍ ଖେଳାଯାଇଥିଲା, ଯାହା ବର୍ଷା ହସ୍ତକ୍ଷେପ ଯୋଗୁଁ ଡ୍ର’ ରେ ରହିଥିଲା। ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ବକ୍ସିଂ ଡେ ଟେଷ୍ଟ୍ ଜିତି ୨-୧ରେ ଆଗୁଆ ରହିବାକୁ ଚାହିଁବ।
୨୦୧୧ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ଦଳ ଶେଷ ପରାଜୟ ବରଣ କରିଥିଲା। ୨୦୨୦ରେ ଟିମ୍ ଇଣ୍ଡିଆ ୮ ଓ୍ଵିକେଟରେ ବିଜୟୀ ହୋଇଥିବା ବେଳେ ଏହା ପୂର୍ବରୁ ୨୦୧୮ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୧୩୭ ରନ୍ରେ ବିଜୟୀ ହୋଇଥିଲା ଏବଂ ୨୦୧୪ରେ ମ୍ୟାଚ୍ ଡ୍ର ରେ ରହିଥିଲା। କିନ୍ତୁ ୨୦୧୧ରେ ଟିମ୍ ଇଣ୍ଡିଆ ୧୨୨ ରନ୍ ରେ ପରାସ୍ତ ହୋଇଥିଲା। ୧୩ ବର୍ଷର ଅପରାଜେୟ ଧାରା ବଜାୟ ରଖି ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ରହିବାକୁ ଲକ୍ଷ୍ୟ ରଖିବ।