ନୂଆଦିଲ୍ଲୀ: ଯୁବ ଉଦୀୟମାନ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ଦମଦାର ଶତକ ବଳରେ ଭାରତ ମେଲବର୍ଣ୍ଣରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ନିଜର ସମ୍ମାନ ରଖି ପାରିଛି । କେବଳ ଏତିକି ନୁହେଁ ଭାରତ ଫଲୋଅନ ଆଶଙ୍କାକୁ ଏଡାଇ ମ୍ୟାଚରେ ତିଷ୍ଠି ରହିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍ ହରାଇ ୩୫୮ ରନ କରିଛି । କ୍ରିଜରେ ନୀତିଶ ରେଡ୍ଡୀ ୧୦୫ ରନ କରି ଅପରାଜିତ ଥିବା ବେଳେ ତାଙ୍କ ସହ ଅଛନ୍ତି ମହମ୍ମଦ ସିରାଜ । ନୀତିଶଙ୍କ ବ୍ୟତୀତ ତୃତୀୟ ଦିନରେ ୱାଶିଂଟନ ସୁନ୍ଦର ୫୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି । ଏବେ ବି ଭାରତ ଅଷ୍ଟ୍ରେଲିଆଠୁ ୧୧୬ ରନ ପଛରେ ରହିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ କରିଥିଲା ।
ଭାରତ ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୧୬୪/୫ରୁ ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ଋଷଭ ପନ୍ତ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିଲେ । ଦିନର ପ୍ରଥମ ଖେଳାଳି ଭାବେ ପନ୍ତ ୨୮ ରନ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ପରେ ଜାଡେଜା କ୍ରିଜରେ ଜମି ଯାଇଥିଲେ ହେଁ ୧୭ ରନ କରି ବିଦାୟ ନେଇଥିଲେ । ୨୨୧ ରନରେ ୭ ୱିକେଟ୍ ହରାଇ ଫଲୋଅନ ଆଶଙ୍କାରେ ପଡିଥିବା ଭାରତକୁ ସାହା ହୋଇଥିଲେ ଦୁଇ ଅଲରାଉଣ୍ଡର ନୀତିଶ ରେଡ୍ଡୀ ଓ ୱାଶିଂଟନ ସୁନ୍ଦର । ଏହି ଦୁଇ ବ୍ୟାଟର ଧୈର୍ଯ୍ୟର ସହ କଙ୍ଗାରୁ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ । ଗୋଟିଏ ପଟେ ନୀତିଶ ଦ୍ରୁତ ବ୍ୟାଟିଂ କରିଥିବା ବେଳେ ଅନ୍ୟପଟେ ସୁନ୍ଦର ରକ୍ଷଣାତ୍ମକ ବ୍ୟାଟିଂ କରି ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ।
ଦୁଇ ବ୍ୟାଟର ଅଷ୍ଟମ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡି ଭାରତକୁ ବିପର୍ଯ୍ୟୟରୁ ମୁକୁଳାଇବା ସହ ଦଳକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଏହି କ୍ରମରେ ସୁନ୍ଦର ୫୦ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିଲେ । ଏହା ପୂର୍ବରୁ ନୀତିଶ ଓ ସୁନ୍ଦର ୧୨୭ ରନ ଯୋଡିଥିଲେ । ଯଶପ୍ରୀତ ବୁମରା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ନୀତିଶ କୁମାର ରେଡ୍ଡୀ ଦମଦାର ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଥିଲେ । ତାଙ୍କ ଶତକ ବଳରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୩୫୮ ରନ କରିଛି । ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ପାଟ୍ କମିନ୍ସ ଓ ସ୍କଟ ବୋଲାଣ୍ଡ ପ୍ରତ୍ୟେକ ତିନୋଟି ଲେଖାଏଁ ୱିକେଟ୍ ନେଇଛନ୍ତି । ନାଥନ ଲିୟୋନଙ୍କୁ ଦୁଇଟି ସଫଳତା ମିଳିଛି ।