ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶନିବାର (୨୭ ଡିସେମ୍ବର ୨୦୨୪) ପୂର୍ବାହ୍ନ ୧୧ଟା ୪୫ମିନିଟରେ ଦିଲ୍ଲୀର ନିଗମବୋଧ ଘାଟରେ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନେକ ମନ୍ତ୍ରୀ ନିଗମବୋଧ ଘାଟରେ ପହଞ୍ଚି ଅନ୍ତିମ ସଂସ୍କାରରେ ଯୋଗଦେବେ।
କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି ଯେ ଡିସେମ୍ବର ୨୮ ତାରିଖ ଶନିବାର ସକାଳ ସାଢ଼େ ୯ଟାରେ ଦିଲ୍ଲୀସ୍ଥିତ ଏଆଇସିସି (ଅଖିଳ ଭାରତୀୟ କଂଗ୍ରେସ କମିଟି) ମୁଖ୍ୟାଳୟ ନିଗମବୋଧ ଘାଟ ଅଭିମୁଖେ ଯାତ୍ରା କରିବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଚେଞ୍ଜ ଅଫ୍ ଗାର୍ଡ ସମାରୋହ ଅନୁଷ୍ଠିତ ହେବ ନାହିଁ। ଏହା ଏକ ସାମରିକ ପରମ୍ପରା। ଏଥିରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀରୁ ଦାୟିତ୍ୱ ଗ୍ରହଣ କରିଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସାରା ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ ସାରା ଦେଶରେ ଜାତୀୟ ପତାକା ଅଧା ମୁଣ୍ଡାଇ ଉଡୁଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ହୋଇଥିବା ସ୍ଥାନରେ ତାଙ୍କ ସ୍ମାରକୀ ନିର୍ମାଣ କରାଯାଉ।
ଏକ ସାମାନ୍ୟ ପୃଷ୍ଠଭୂମିରୁ ଆସି ବିଭାଜନର ଯନ୍ତ୍ରଣା ଅନୁଭବ କରିବା ଏବଂ ତାଙ୍କର ସଂକଳ୍ପ ହିଁ ତାଙ୍କୁ ବିଶ୍ୱର ଅନ୍ୟତମ ଅଗ୍ରଣୀ ରାଜନେତାରେ ପରିଣତ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଡକ୍ଟର ମନମୋହନ ସିଂହଙ୍କ ରାଜନୈତିକ ମର୍ଯ୍ୟାଦା ଅନୁଯାୟୀ ତାଙ୍କ ସ୍ମାରକୀ ନିର୍ମାଣ କରାଯାଇପାରୁଥିବା ସ୍ଥାନରେ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ଉପରୋକ୍ତ ଅନୁରୋଧକୁ ଗ୍ରହଣ କରାଯିବ ବୋଲି ମୁଁ ଆଶା ଓ ବିଶ୍ୱାସ କରୁଛି।