ମୁମ୍ବାଇ: ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ଠାବ କରିବା ପାଇଁ ମହାରାଷ୍ଟ୍ରର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଗୁଇନ୍ଦା ସୂଚନା ଆଧାରରେ ଏଟିଏସ୍ ଅଧିକାରୀମାନେ ଗତ ୨୪ ଘଣ୍ଟା ମଧ୍ୟରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ବାଂଲାଦେଶୀ ନାଗରିକମାନଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ଠାବ କରିଥିଲେ।
ବିଦେଶୀ ଅଧିନିୟମ, ୧୯୪୬, ପାସପୋର୍ଟ (ଭାରତରେ ପ୍ରବେଶ) ଆଇନ, ୧୯୫୦, ପାସପୋର୍ଟ ଆଇନ, ୧୯୬୭ ଅଧୀନରେ ବିଭିନ୍ନ ଥାନାରେ ମୋଟ ୩ଟି ମାମଲା ରୁଜୁ ହୋଇଛି। ଏହି ଅପରେସନ ସମୟରେ ଏଟିଏସ୍ ଅଧିକାରୀମାନେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହ ମିଶି ବେଆଇନ ଭାବେ ରହୁଥିବା ମୋଟ ୧୩ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ। ଏମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି।
ଉକ୍ତ ଅପରାଧର ତଦନ୍ତ ବେଳେ ଏଟିଏସ୍ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ବାଂଲାଦେଶୀ ନାଗରିକମାନେ ନକଲି କାଗଜପତ୍ର ବ୍ୟବହାର କରି ଆଧାର କାର୍ଡ ଇତ୍ୟାଦି କାଗଜପତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଏବଂ ଭାରତୀୟ ନାଗରିକତା ପରିଚୟପତ୍ର ମଧ୍ୟ ଅଭିଯୁକ୍ତ ବାଂଲାଦେଶୀ ନାଗରିକମାନେ ତିଆରି କରିଛନ୍ତି।
ଚଳିତ ସପ୍ତାହ ପ୍ରାରମ୍ଭରେ ସମାନ ଅପରେସନ ଅଧୀନରେ ମୁମ୍ବାଇ, ଥାନେ, ନଭି ମୁମ୍ବାଇ ଏବଂ ନାସିକରେ ୭ଟି ମାମଲା ରୁଜୁ କରାଯାଇଥିଲା, ଯେଉଁଥିରେ ୧୭ ଜଣ ବାଂଲାଦେଶୀ ନାଗରିକଙ୍କୁ ଠାବ କରାଯାଇ ଗିରଫ କରାଯାଇଥିଲା। ଉକ୍ତ ଅପରାଧର ଅଧିକ ତଦନ୍ତ ସ୍ଥାନୀୟ ସଂପୃକ୍ତ ଥାନା ପକ୍ଷରୁ କରାଯାଉଛି।
ଅଧିକ ପଢ଼ନ୍ତୁ: ନିଜେ ଥଣ୍ଡା ଭିତରେ ରହି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ