ରାୟପୁର: ଛତିଶଗଡ଼ର ରାଜନାନ୍ଦଗାଓଁ ଜିଲ୍ଲାରେ ଏକ ଦଂପତି ଓ ସେମାନଙ୍କର ୩ ବର୍ଷୀୟ ଝିଅଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ବସନ୍ତପୁର ଥାନା ଅନ୍ତର୍ଗତ ଭଂବରମରା ଗାଁରେ ଶୁକ୍ରବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଭାଗବତ ସିହ୍ନା (୪୦), ତାଙ୍କ ପତ୍ନୀ ତନୁ (୩୫) ଓ ଝିଅ ଭବ୍ୟ (୩)। ଭାଗବତଙ୍କ ପୁତୁରା ତାଙ୍କ ଘରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଦେଖିଲା ବେଳକୁ କବାଟ ଭିତରୁ ବନ୍ଦ ହୋଇଯାଇଥିଲା।
ସେ ଅନେକ ଥର କବାଟ ବାଜିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା। ଏହାପରେ ସେ ପଛ କବାଟ ଦେଇ ଘର ଭିତରକୁ ପହଞ୍ଚିବା ପରେ ବେଡ୍ରୁମ୍ ଭିତରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୋଠରୀରେ ତିନି ଜଣଙ୍କ ଜଳିଯାଇଥିବା ମୃତଦେହ ପଡ଼ିଥିଲା। ଏହାପରେ ସେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଘଟଣାସ୍ଥଳରେ ଯାଞ୍ଚ ବେଳେ ବେଡ୍ରୁମ୍ ବାହାରେ ଏକ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମିଳିଥିଲା, ଯାହାର ପାଇପ୍ କବାଟ ପାର୍ଶ୍ୱରୁ କୋଠରୀ ଭିତରକୁ ନିଆଯାଇଥିଲା। ଏହାବ୍ୟତୀତ ଘଟଣାସ୍ଥଳରୁ ଏକ ଷ୍ଟୋଭ ଲାଇଟର ମଧ୍ୟ ଜବତ କରାଯାଇଛି।
ପଛ କବାଟ ଖୋଲା ଥିବା ପୁଲିସ କହିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଭାଗବତ ଏକ ତେଜରାତି ଦୋକାନ ଚଳାଉଥିଲେ। ତାଙ୍କ ପରିବାରରେ କୌଣସି ବିବାଦ ଥିବା ନେଇ କୌଣସି ସୂଚନା ମିଳିନଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଏହି ଘଟଣା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଆଧାରରେ ପୁଲିସ ତଦନ୍ତକୁ ଜୋରଦାର କରିଛି। ଏହି ଘଟଣା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।
ଅଧିକ ପଢ଼ନ୍ତୁ: ଭାରତର ସମ୍ମାନ ରଖିଲେ ନୀତିଶ ରେଡ୍ଡୀ