ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାର୍ଥିବ ଶରୀର ଏକ ଶୋକଯାତ୍ରାରେ ନୂଆଦିଲ୍ଲୀସ୍ଥିତ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି। ପାର୍ଥିବ ଶରୀର ଏଠାରେ ପହଞ୍ଚିଲା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ପ୍ରିୟଙ୍କା ଗାନ୍ଧୀ ଶେଷ ଦର୍ଶନ କରିଛନ୍ତି।
ସେହିପରି କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଦଳର ନେତା ଅଶୋକ ଗେହଲଟ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏଆଇସିସି ମୁଖ୍ୟାଳୟରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏନେଇ ସମ୍ପର୍କରେ ଆଚାର୍ଯ୍ୟ ଯୋଗେଶ କୁମାର କହିଛନ୍ତି, ଚନ୍ଦନ ବ୍ୟବହାର କରି ଅନ୍ତିମ ସଂସ୍କାର କରାଯିବ। ସର୍ଦ୍ଦାର ରୀତିନୀତି ଅନୁଯାୟୀ ଭିଆଇପି ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶନିବାର ପୂର୍ବାହ୍ନ ୧୧ଟା ୪୫ମିନିଟରେ ଦିଲ୍ଲୀର ନିଗମବୋଧ ଘାଟରେ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନେକ ମନ୍ତ୍ରୀ ନିଗମବୋଧ ଘାଟରେ ପହଞ୍ଚି ଅନ୍ତିମ ସଂସ୍କାରରେ ଯୋଗଦେବେ।
କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି ଯେ ଡିସେମ୍ବର ୨୮ ତାରିଖ ଶନିବାର ସକାଳ ସାଢ଼େ ୯ଟାରେ ଦିଲ୍ଲୀସ୍ଥିତ ଏଆଇସିସି (ଅଖିଳ ଭାରତୀୟ କଂଗ୍ରେସ କମିଟି) ମୁଖ୍ୟାଳୟ ନିଗମବୋଧ ଘାଟ ଅଭିମୁଖେ ଯାତ୍ରା କରିବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଚେଞ୍ଜ ଅଫ୍ ଗାର୍ଡ ସମାରୋହ ଅନୁଷ୍ଠିତ ହେବ ନାହିଁ। ଏହା ଏକ ସାମରିକ ପରମ୍ପରା। ଏଥିରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀରୁ ଦାୟିତ୍ୱ ଗ୍ରହଣ କରିଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସାରା ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।
ଅଧିକ ପଢ଼ନ୍ତୁ: ସ୍ୱାମୀ-ସ୍ତ୍ରୀ ଓ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ