ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପାଇଁ ସ୍ୱତନ୍ତ୍ର ସ୍ମାରକ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି କରିଛନ୍ତି । ଖଡଗେଙ୍କ ଏମିତି ଦାବିକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଡା ସମାଲୋଚନା କରିଛନ୍ତି । ଶର୍ମିଷ୍ଠା କହିଛନ୍ତି, ଯେବେ ତାଙ୍କ ପିତାଙ୍କ ୨୦୨୦ରେ ନିଧନ ହେଲା, ସେହି ସମୟରେ କଂଗ୍ରେସ ନା କୌଣସି ଶୋକସଭା ଆୟୋଜିତ କଲା ନା ସିଡବ୍ଲ୍ୟୁସି ବୈଠକ ଡକାଇଥିଲା । କଂଗ୍ରେସର ନେତୃବୃନ୍ଦ ଏହାକୁ ନେଇ ତାଙ୍କୁ ଭ୍ରମିତ କରିଥିବା ଶର୍ମିଷ୍ଠା କହିଛନ୍ତି ।
ଶର୍ମିଷ୍ଠା କହିଛନ୍ତି, କଂଗ୍ରେସର ଜଣେ ବରିଷ୍ଠ ନେତା ତାଙ୍କୁ ସେତେବେଳେ କହିଥିଲେ ଯେ, ଭାରତର ରାଷ୍ଟ୍ରପତିଙ୍କ ପାଇଁ ଶୋକସଭା ଆୟୋଜିତ କରାଯାଏ ନାହିଁ । କଂଗ୍ରେସ ନେତାଙ୍କ ଏହି କଥା ସଂପୂର୍ଣ୍ଣ ନିରାଧାର ଥିଲା । ନିଜ ପିତାଙ୍କ ଡାଏରୀ ବଢି ସାରିଛି । ଯେଉଁଥିରେ ଲେଖା ହୋଇଛି ଯେ, ପୂର୍ବତନ ରାଷ୍ଟ୍ରପତି କେଆର ନାରାୟଣଙ୍କ ନିଧନ ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଡକାଇଥିଲା ଏବଂ ଶୋକ ସନ୍ଦେଶ ଖୋଦ୍ ପ୍ରଣବ ମୁଖାର୍ଜୀ ପ୍ରସ୍ତୁତ କରିଥିଲେ ।
ଶର୍ମିଷ୍ଠା ସିଆର କେସବନଙ୍କ ଏକ ପୋଷ୍ଟକୁ ନେଇ କହିଛନ୍ତି ଯେ, କଂଗ୍ରେସ ପାର୍ଟି ଅନ୍ୟ ନେତାଙ୍କୁ କେବଳ ଏଥିପାଇଁ ଅଣଦେଖା କରେ କାରଣ ସେମାନେ ଗାନ୍ଧୀ ପରିବାରର ସଦସ୍ୟ ନୁହନ୍ତି । ଏହି ପ୍ରସଙ୍ଗରେ ଡଃ ମନମୋହନ ସିଂଙ୍କ ଗଣମାଧ୍ୟମ ପରାମର୍ଶଦାତା ଡଃ ସଞ୍ଜୟ ବାରୁଙ୍କ ପୁସ୍ତକ ‘ଦ ଏକ୍ସଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ପୁସ୍ତକରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କଂଗ୍ରେସର ନେତୃବୃନ୍ଦ କେବେ ବି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିମାହ ରାଓଙ୍କ ପାଇଁ ଦିଲ୍ଲୀରେ କୌଣସି ସ୍ମାରକ ନିର୍ମାଣ କରିନି । ପୁସ୍ତକରେ ଏହା ମଧ୍ୟ ଦାବି କରାଯାଇଛି ଯେ, କଂଗ୍ରେସ ନରସିମାହ ରାଓଙ୍କ ଦାହ ସଂସ୍କାରଙ୍କୁ ଦିଲ୍ଲୀରେ କରିବା ପରିବର୍ତ୍ତେ ହାଇଦ୍ରାବାଦରେ କରିବାକୁ ଉଦ୍ୟମ କରିଥିଲା ।
ସୂଚନାଯୋଗ୍ୟ, ମନମୋହନ ସିଂଙ୍କ ୯୨ ବର୍ଷ ବୟସରେ ଡିସେମ୍ବର ୨୬ରେ ଦିଲ୍ଲୀ ସ୍ଥିତ ଏମ୍ସରେ ପରଲୋକ ଘଟିଥିଲା । କଂଗ୍ରେସର ଅଧ୍ୟକ୍ଷ ଖଡଗେ ତାଙ୍କ ଯୋଗଦାନକୁ ସମ୍ମାନିତ କରିବା ପାଇଁ ଏକ ସ୍ମାରକ ନିର୍ମାଣ କରିବାକୁ ଅପିଲ୍ କରିଛନ୍ତି ।