ନୂଆଦିଲ୍ଲୀ: ଶୀତରେ ଥରୁଛି ଉତ୍ତର ଭାରତ । ଜାମ୍ମୁ କାଶ୍ମୀରରୁ ନେଇ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ପାରଦ ମାଇନସରେ ପହଁଚିଛି । ଅନେକ ସ୍ଥାନରେ ପ୍ରବଳ ମାତ୍ରାରେ ବରଫପାତ ହୋଇଛି । ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହୋଇଛି । ଏହା ଦ୍ୱାରା ସୋଲାଂଗ ନାଲାରେ ୧୦୦୦ ପର୍ଯ୍ୟଟକଙ୍କ ଗାଡ଼ି ଫସି ରହିଛି । ଯେଉଁଥିରେ ପ୍ରାୟ ୫୦୦୦ ପର୍ଯ୍ୟଟକ ରହିଛନ୍ତି । ପୋଲିସ ଟ୍ରାଫିକ୍ ନିୟନ୍ତ୍ରଣ କରି ଲୋକଙ୍କୁ ସେଠାରେ ବାହାରିବାରେ ଅନେକ ସାହାଯ୍ୟ କରିଛି । ଏ ନେଇ କୁଲୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଗତାକାଲିଠାରୁ ଲଗାଣ ତୁଷାରପାତ ଯୋଗୁଁ ରୋହତାଙ୍ଗା, ଶିଙ୍କୁଳା ଏବଂ ବାରାଲାୟାରେ ୨ ଫୁଟ୍ ର ବରଫ ଜମା ହୋଇରହିଯାଇଛି । ମନାଲିରେ ବଡ଼ ବଡ଼ ବରଫ ଖଣ୍ଡ ବର୍ଷା ହୋଇଛି । ସେପଟେ ଭୀଷଣ ତୁଷାରପାତ ଯୋଗୁଁ ଅଟଳ ଟନେଳ ରୋହତଙ୍ଗକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଲାହୁଲ ଘାଟିରେ ବସ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କଳ୍ପା, କୁଫରୀ, ମନାଲୀ, ଶିମଲା, ନାହନ, କାଂଗଡ଼ା. ଜୁବ୍ବଡଦଟ୍ଟୀରେ ୨ ରୁ ୫ ମିଲି ମିଟର୍ ପର୍ଯ୍ୟନ୍ତ ବୃଷ୍ଟି ପାତ ହୋଇଛି ।
ତେବେ ସେଓ ଏବଂ ଅନ୍ୟ ଫଳ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ହୋଇ ନାହିଁ ବୋଲି କୁହାଯାଉଛି । ତେଣୁ ଏବେ ଗଛ ଲଗାଯିବ ନାହିଁ । ଅନ୍ୟପକ୍ଷରେ ଆଗାମୀ ୨୪ ମଧ୍ୟରେ ୨ ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି କୁହାଯାଉଛି ।
ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତୁଷାରପାତ ଓ କୁଆପଥର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ କେତେକ ସ୍ଥାନରେ ଭୂ-ସ୍ଖଳନ ହେବାର ମଧ୍ୟ ବେଶ ସମ୍ଭାବନା ରହି ଥିବାରୁ ପର୍ଯ୍ୟଟକଙ୍କୁ ସତର୍କ କରାଇଦିଆଯାଇଛି ।