ଲକ୍ଷ୍ବୌ: ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ମହାକୁମ୍ଭ ୨୦୨୫କୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ମହାକୁମ୍ଭକୁ ନେଇ ନେପାଳ ସୀମାରେ ଥିବା ସଶସ୍ତ୍ର ସୀମା ବଳ ସହ ସମନ୍ୱୟ ରକ୍ଷା କରି ବ୍ୟାପକ ଚେକିଂ ଅଭିଯାନ ଚଳାଇବାକୁ ଡିଜିପି ପ୍ରଶାନ୍ତ କୁମାର ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତିବନ୍ଧକ ଲଗାଇବା ସହ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ୨୪ ଘଣ୍ଟିଆ ବ୍ୟାପକ ଯାଞ୍ଚ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ପ୍ରୟାଗରାଜ ଏବଂ ଏହାର ସୀମାବର୍ତ୍ତୀ ଜିଲ୍ଲାର ସମସ୍ତ ଚେକ୍ ପୋଷ୍ଟରେ ସ୍ୱତନ୍ତ୍ର ତଦାରଖ କରାଯିବା ଉଚିତ ବୋଲି ସେ କହିଛନ୍ତି। ଡିଜିପି ପ୍ରଶାନ୍ତ କୁମାର ସୋସିଆଲ ମିଡିଆରେ ସ୍ୱତନ୍ତ୍ର ତଦାରଖ ବଢ଼ାଇବା ସହ ମିଥ୍ୟା ଗୁଜବ ଓ ଖବର ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମହାକୁମ୍ଭରେ ଆତଙ୍କବାଦୀ ଷଡ଼ଯନ୍ତ୍ର ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିଗୁଡ଼ିକୁ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରିବାକୁ ଡିଜିପି କହିଛନ୍ତି। ପ୍ରୟାଗରାଜ ଏବଂ ଏହାର ଆଖପାଖ ଜିଲ୍ଲାର ସମସ୍ତ ହୋଟେଲ, ଢାବା, ରେଷ୍ଟୁରାଣ୍ଟ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟାପକ ଯାଞ୍ଚ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ମହାକୁମ୍ଭର ସୁରକ୍ଷା ସମ୍ପର୍କରେ ଡିଜିପି ଅଧିକାରୀମାନଙ୍କୁ ଡଗ୍ ସ୍କ୍ୱାଡ୍ ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ସହ ନିରନ୍ତର ଯାଞ୍ଚ କରିବାକୁ କହିଛନ୍ତି। ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି ସମସ୍ତ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯାଉ, ରେଳଧାରଣାର ସୁରକ୍ଷା ପାଇଁ ସବୁ ଜିଲ୍ଲାରେ ବ୍ଲାକ ସ୍ପଟ୍ ଚିହ୍ନଟ ଓ ତଦାରଖ କରାଯାଉ।
ଅପରେସନ୍ ତ୍ରିନେତ୍ରର ସମୀକ୍ଷା ବେଳେ ଡିଜିପି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିସିଟିଭି କ୍ୟାମେରା ଲଗାଇବାରେ ଅବହେଳାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତ ମୁଖ୍ୟ ଛକ ଓ ସ୍ଥାନରେ ଅଧିକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ସିସିଟିଭି କ୍ୟାମେରାକୁ ପୁଲିସ କଣ୍ଟ୍ରୋଲ ରୁମ୍ ସହ ସଂଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ଗୁଡ଼ି ଆଣିବାକୁ ଉଦ୍ୟମ ମହଙ୍ଗା ପଡ଼ିଲା: ଆଖିବୁଜିଲେ ଦୁଇଭାଇ