କନ୍ଧମାଳ : ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ ଗାଡ଼ିକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଶୁକ୍ରବାର ବିଳମ୍ବିତ ରାତିରେ ଫୁଲବାଣୀ ସର୍କିଟ୍ ହାଉସ୍ ପରିସରରେ ଥିବା ଗାଡିକୁ ଜାଳିଦେଇଛନ୍ତି । ସର୍କିଟ୍ ହାଉସ୍ ଗ୍ୟାରେଜ୍ରେ ଥିବା ଅନ୍ୟ ଦୁଇଟି ଦୁଇଚକିଆ ଯାନକୁ ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ବିଧାୟକଙ୍କ ଇନୋଭା ଗାଡ଼ି (ଓଡ଼ି-୧୨ଏଫ୍-୭୬୨୬) ଆଂଶିକ ଭାବେ ଜଳିଯାଇଛି।
ସୂଚନା ଅନୁଯାୟୀ ବିଧାୟକ ଶ୍ରୀ ମଲିକ ଗତକାଲି ରାତିରେ ଫୁଲବାଣୀ ସର୍କିଟ୍ ହାଉସ୍ରେ ରାତ୍ରିଯାପନ କରିଥିଲେ। ସର୍କିଟ୍ ହାଉସ୍ର ଅନ୍ୟ ଏକ କୋଠରିରେ ଜଣେ ହାଇକୋର୍ଟ ଜଜ୍ ମଧ୍ୟ ରହିଥିଲେ। ତେବେ ରାତି ପ୍ରାୟ ଦୁଇଟା ପାଖାପାଖି ସମୟରେ ବିଚାରପତିଙ୍କ ସୁରକ୍ଷା ଦାୟିତ୍ବରେ ଥିବା ହୋମ୍ଗାର୍ଡ଼ ବିଧାୟକଙ୍କ ଗାଡ଼ି ସମେତ ଦୁଇଟି ବାଇକ୍ରେ ନିଆଁ ଲାଗିଥିବା ଦେଖି ସର୍କିଟ୍ ହାଉସ କର୍ମଚାରୀଙ୍କୁ ଡାକିଥିଲେ । ସଙ୍ଗେ ସଙ୍ଗେ ପୁଲିସ ଓ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା। କାଳେ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ଆଶଙ୍କା କରି ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ବିଧାୟକଙ୍କ ସୁରକ୍ଷା କର୍ମୀ (ପିଏସ୍ଓ)ଙ୍କ ଏକ ବାଇକ୍ ଏବଂ ସର୍କିଟ୍ ହାଉସ୍ କର୍ମଚାରୀଙ୍କ ଏକ ସ୍କୁଟି ସମ୍ପୂର୍ଣ୍ଣ ପୋଡ଼ି ଧ୍ବଂସ ପାଇ ଯାଇଥିବା ବେଳେ ବିଧାୟକଙ୍କ ଗାଡ଼ି ଆଂଶିକ ଭାବେ ପୋଡ଼ିଛି। ଘଟଣାସ୍ଥଳରୁ ଏକ ପେଟ୍ରୋଲ୍ ଭର୍ତ୍ତି ପ୍ଲାଷ୍ଟିକ୍ ବୋତଲ ମଧ୍ୟ ପୁଲିସ ଦ୍ୱାରା ଜବତ ହୋଇଛି । ବୌଦ୍ଧରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି। ବିଧାୟକଙ୍କ କେହି ବିରୋଧୀ ବା ରାଜନୈତିକ ଶତ୍ରୁ ଏଭଳି କାଣ୍ଡ କରିଛନ୍ତି ବୋଲି ଅନୁମାନ କରାଯାଉଛି।
ଘଟଣାସ୍ଥଳକୁ ଯାଇ କନ୍ଧମାଳ ଏସ୍ପି ହରିଶ ବିସି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ସୂଚନା ଦେଇ ସେ କହିଛନ୍ତି, ସମସ୍ତ ଦିଗରୁ ପୁଲିସ ତଦନ୍ତ କରୁଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ।