ପୁରୀ : ନୂଆବର୍ଷରେ କଡା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର । ସବୁ ରାସ୍ତା ସିସିଟିଭି ନଜର ସହ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୋଲିସ । ଡିସେମ୍ବର ୩୧ ତାରିଖ ଠାରୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଆଶଙ୍କାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ପୁରୀର ମୁଖ୍ୟ ପ୍ରବେଶପଥରେ ଚେକିଂକୁ କଡାକଡି ପାଳନ କରାଯାଉଛି ।
ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବ। ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ। ମାର୍କେଟ ଛକଠାରୁ ନୋ ଭେକିଲ ଜୋନ (NO VEHICLE ZONE) ହେବ । ମାର୍କେଟ ଛକଠାରୁ ଆଉ ବଡ଼ ଗାଡି ପ୍ରବେଶ ଅନୁମତି ନାହିଁ ।
ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ। ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ :- ନୂଆବର୍ଷ ହୋଡିଂ ଲଗାଇବାକୁ ନେଇ ରାଜନୈତିକ ସଂଘର୍ଷ