ଭୁବନେଶ୍ୱର: ରାଜ୍ୟର ଲଗାଣ ବର୍ଷାରେ ହୋଇଥିବା ଫସଲ କ୍ଷତିକୁ ନେଇ ଏବେ ଚିନ୍ତାରେ ଚାଷୀ ଏବଂ ସରକାର । କୃଷି, ସମବାୟ, ରାଜସ୍ୱ ଏବଂ ଯୋଗାଣ ବିଭାଗକୁ ନାକେଦମ ହେବାକୁ ପଡ଼ୁଛି । ତେବେ ଆସନ୍ତା ୨୮ ତାରିଖରେ କୃଷି, ସମବାୟ ଓ ରାଜସ୍ୱ ବିଭାଗ ଏବଂ କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ବିଭାଗର ମିଳିତ ବୈଠକ ବସିବ ଅନୁଷ୍ଠିତ ହେବ । ସେଥିରେ କ୍ଷୟକ୍ଷତି ନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଫସଲ କ୍ଷୟକ୍ଷତି ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଖୋର୍ଦ୍ଧାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାରେ ଧାନ ଫସଲ ନଷ୍ଟ ହୋଇଛି । ଚାଷୀମାନେ ଧାନ ଅମଳ କରି ବିକ୍ରି କରିବାକୁ ମାର୍କେଟକୁ ଆଣିବାବେଳେ ବର୍ଷା ହେଲା । ଧାନ କିଣିବାକୁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଥିଲା, କିନ୍ତୁ ମଣ୍ଡି ମଧ୍ୟ ଖୋଲି ପାରିଲା ନାହିଁ । ପରିସ୍ଥିତିକୁ ଦେଖି ପୁଣି ଥରେ ଧାନ ସଂଗ୍ରହର ତାରିଖ ସ୍ଥିର ହେବ । ଲଗାଣ ବର୍ଷା ଯୋଗୁଁ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ । କ୍ଷୟକ୍ଷତି ଆକଳନ କଲା ବେଳକୁ ପୁଣି ଦ୍ୱିତୀୟ ପର୍ଯ୍ୟାୟ ବର୍ଷା ହେଲା । ଏ ନେଇ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି । ସେହିପରି ବୀମା କମ୍ପାନୀ ଏବଂ ସମବାୟ ବିଭାଗ ସହିତ ଆଲୋଚନା କରାଯାଇଛି । 28 ତାରିଖରେ ବୈଠକ ପରେ କୃଷି ମନ୍ତ୍ରୀ ସହିତ ଶେଷ ଆଲୋଚନା କରାଯିବ । ସେପଟେ ଗଞ୍ଜାମ ଜିଲ୍ଲା ଖଣି ମନ୍ତ୍ରୀ ବିଭୂତି ଜେନା, ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏବଂ ବିଧାୟକମାନେ ତୃଣମୂଳ ସ୍ତରରେ ବୁଲି କ୍ଷୟକ୍ଷତି ଦେଖୁଛନ୍ତି । ତେଣୁ କ୍ଷୟକ୍ଷତିର ଆକଳନ ଠିକଠାକ ହେବ ।
ରାଜ୍ୟସରାକର ଏମଏସପି ବୃଦ୍ଧି କରିବାକୁ ଘୋଷଣା କରିବା ପରେ ଚାଷୀଙ୍କ ମନରେ ଅନେକ ଆଶା ଥିଲା । ପ୍ରଥମ ବର୍ଷାରେ ଚାଷୀ ଧାନକୁ ବଞ୍ଚାଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ବର୍ଷା ହେଲା । ଫଳରେ ଧାନ ନଷ୍ଟ ହେଲା । କ୍ଷୟକ୍ଷତିକୁ ନେଇ ବିଚଳିତ ନ ହେବାକୁ ଚାଷୀ ଭାଇମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତୁ, ସରକାର ଅତି ସମ୍ବେଦନଶୀଳତାର ସହିତ ଲୋକଙ୍କର ସମସ୍ୟାର ସମାଧାନ କରିବାକୁ ଏବଂ ବିପଦ ସମୟରେ ସେମାନଙ୍କ ସହିତ ଛିଡ଼ା ହେବାକୁ କୌଣସି ପଦକ୍ଷେପ ଛାଡ଼ିବ ନାହିଁ ।
ଗତକାଲି ସୁଦ୍ଧା 20 ହଜାର ଚାଷୀ ଫସଲ କ୍ଷୟକ୍ଷତିକୁ ନେଇ ବୀମା କମ୍ପାନୀରେ ଆବେଦନ କରିଛନ୍ତି । କୃଷି ବିଭାଗ ମଧ୍ୟ ବୀମା କମ୍ପାନୀ ସହିତ ଆଲୋଚନା କରିସାରିଛି । ତେବେ ଏହି ପରିପ୍ରେକ୍ଷୀରେ ବୀମାକମ୍ପାନୀ ଗୁଡ଼ିକୁ ତାଗିଦ କରିଛନ୍ତି ରାଜସ୍ୱ ମନ୍ତ୍ରୀ । ସେମାନଙ୍କ ଦୃଷ୍ଟି କୋଣକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତିକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କଲେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଫସଲବୀମା ଲାଭ ଉଠାଇବାର ଯୋଜନା ନୁହେଁ ବିପଦ ସମୟରେ ଚାଷୀ ସହିତ ଛିଡ଼ା ହେବା ଯୋଜନା । ଏ ସମୟରେ ବୀମା କମ୍ପାନୀ ମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର । ବୀମା କମ୍ପାନୀମାନଙ୍କ ଚାଷୀଙ୍କ ପ୍ରତି ଦୃଷ୍ଟି କୋଣର ପରିବର୍ତ୍ତନ ହେବା ଦରକାର । ଚାଷୀଙ୍କୁ ସହାୟତା କରିବାକୁ ଉଦ୍ୟମ କରନ୍ତୁ । ବୀମା କମ୍ପାନୀମାନେ ଯଦି ଆଇନ ଅନୁଯାୟୀ ନ ଯିବେ ସେମାନଙ୍କୁ ଆଇନକୁ ଆଣିବାକୁ ସରକାର ପଦକ୍ଷେପ ଗ୍ରହଣ କରିବେ । କମ୍ପାନୀଗୁଡ଼ିକୁ ଲାଇନକୁ ଆଣିବାକୁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଅସ୍ତ୍ର ରହିଛି ବୋଲି ମନ୍ତ୍ରୀ ଚେତାଇଦେଇଛନ୍ତି ।