ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୪-୨୫ ବୋର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ଆରମ୍ଭ ହୋଇଛି। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ୍ (ଏମ୍ସିଜି ଗ୍ରାଉଣ୍ଡ)ରେ ଏହି ବକ୍ସିଂ ଡେ ଟେଷ୍ଟ୍ ମ୍ୟାଚ୍ ଖେଳାଯାଉଛି, ଯେଉଁଥିରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଦିନଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଦ୍ୱିତୀୟ ଦିନରେ ଶୁକ୍ରବାର ଟିମ୍ ଇଣ୍ଡିଆ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କୁ ଯଥାଶୀଘ୍ର ଆଉଟ୍ କରି ମ୍ୟାଚ୍କୁ ଫେରିବାକୁ ଚାହିଁଥିବା ବେଳେ ବିସ୍ଫୋରକ ବ୍ୟାଟର ଷ୍ଟିଭ୍ ସ୍ମିଥ୍ ଶତକ ହାସଲ କରିଛନ୍ତି।
ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଘରୋଇ ଦଳର ସ୍କୋର ୪୫୪ ରନ୍ରେ ପହଞ୍ଚିଛି। ଶତକ ପୂରଣ କରିବା ପରେ ସ୍ମିଥ୍ ଝଡ଼ତୋଫାନ ଶୈଳୀରେ ବ୍ୟାଟିଂ କରିଛନ୍ତି। ସ୍ମିଥ୍ ଏବେ ୧୩୭ ରନ୍ ଓ ମିଚେଲ ଷ୍ଟାର୍କ ୧୫ ରନ୍ କରି ଖେଳୁଛନ୍ତି।
କଙ୍ଗାରୁ ଦଳର ଖେଳାଳିମାନେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ତୃତୀୟ ଅଧିବେଶନରେ ବିପର୍ଯ୍ୟୟର ଶିକାର ହୋଇଥିଲେ। ଆଲେକ୍ସ କେରି(୩୧)ଙ୍କୁ ଆକାଶ ଦୀପ ଆଉଟ୍ କରିଥିଲେ। ମିଚେଲ ମାର୍ସ ମାତ୍ର ୪ ରନ୍ ସଂଗ୍ରହ କରି ବୁମରାଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଭାରତ ପାଇଁ ଚିନ୍ତା ବଢ଼ାଉଥିବା ଖେଳାଳି ଟ୍ରାଭିଡ୍ ହେଡ୍ ଏଥର ଖାତା ଖୋଲି ନପାଇ ପାଭଲି୍ଅନ୍କୁ ଫେରିଯାଇଥିଲେ। ସେ ୭ଟି ବଲ୍ ଖେଳି ଯଶପ୍ରୀତ୍ ବୁମରାଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ମାର୍ନସ ଲାବୁସାନ୍ ଆଉଟ୍ ହୋଇଥିଲେ। ତାଙ୍କୁ ୱାଶିଂଟନ୍ ସୁନ୍ଦର ଆଉଟ୍ କରିଥିଲେ। କିନ୍ତୁ ସେ ପଡ଼ିଆ ଛାଡ଼ିବା ପୂର୍ବରୁ ୭୨ ରନ୍ ସଂଗ୍ରହ କରିଥିଲେ। ୧୪୫ଟି ବଲ୍ ଖେଲି ୭ଟି ଚୌକା ମାରିଥିଲେ।
କଙ୍ଗାରୁ ଦଳ ଦ୍ବିତୀୟ ୱିକେଟ୍ ଭାବେ ଉସମାନ୍ ଖୱାଜାଙ୍କୁ ହରାଇଥିଲା। ବୁମରାଙ୍କ ଦ୍ବାରା ଆଉଟ୍ ହେବା ପୂର୍ବରୁ ସେ ୧୨୧ଟି ବଲ୍ ଖେଳି ୫୭ ରନ୍ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। ଏହା ପୂର୍ବରୁ ପ୍ରାରମ୍ଭିକ ବ୍ୟାଟର ସାମ୍ ଙ୍କୋଷ୍ଟାସ୍ ନିଜର ପଦାର୍ପଣ ମ୍ୟାଚ୍ରେ ଚମକପ୍ରଦ ଅର୍ଦ୍ଧଶତକ ହାସଲ କରି ଦର୍ଶକଙ୍କର ମନ ଜିଣିଛନ୍ତି। ସେ ୬୫ଟି ବଲ୍ ସାମ୍ନା କରି ୬୦ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୬ଟି ଚୌକା ଓ ୨ଟି ଛକା ସାମିଲ ରହିଛି। ସାମ୍ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ।
ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପଦାର୍ପଣ କରିଥିବା ସାମ୍ ଙ୍କୋଷ୍ଟସ୍ ତାଙ୍କ ଡେବ୍ୟୁ ଇନିଂସରେ ହଇଚଇ ସୃଷ୍ଟି କରିଥିଲେ। ସେ ମହମ୍ମଦ ସିରାଜଙ୍କୁ ଯଶପ୍ରୀତ ବୁମ୍ରାଙ୍କ ବଲ୍ ମଧ୍ୟ ମାରିଥିଲେ। ଆୟୋଜକ ଅଷ୍ଟ୍ରେଲିଆ ପ୍ରଥମ ଓ ଦ୍ବିତୀୟ ଅଧିବେଶନରେ ଆଧିପତ୍ୟ ବଜାୟ ରଖିଥିବା ବେଳେ ତୃତୀୟ ଅଧିବେଶନରେ ଯଶପ୍ରୀତ ବୁମ୍ରା ଭଲ ବୋଲିଂ କରି ଭାରତୀୟ ଦଳକୁ ଫେରାଇ ଆଣିଥିଲେ।
ଅଧିକ ପଢ଼ନ୍ତୁ: ଓଡ଼ିଆ ଝିଅ ପ୍ରୀତିସ୍ମିତା ପାଇଲେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର