ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅପରାଧୀ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ଜଣେ ଚୀନ୍ ନାଗରିକଙ୍କୁ ଜାମିନ ଦେବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି। ମଙ୍ଗଳବାର ଜାମିନ ଆବେଦନର ଶୁଣାଣି କରି ଅଦାଲତ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ୬ ମାସ ପରେ ସେ ଜାମିନ ପାଇଁ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ ଅଭିଯୁକ୍ତଙ୍କୁ କହିଥିଲେ।
ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି ଯେ ଚୀନ୍ ନାଗରିକଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଭିସା ଅବଧି ସରିବା ପରେ ଚୀନ୍ ନାଗରିକ ଭାରତରେ ରହି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ଅପରାଧିକ ରାକେଟ୍ ଚଳାଉଥିବା ଅଭିଯୋଗ ହୋଇଛି।
ଜୁଲାଇ ୩୧ରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରୟାନ ଓରଫ ରେନ ଚାଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଅପରାଧିକ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଅପରାଧର ଗମ୍ଭୀରତାକୁ ଦେଖନ୍ତୁ। ଶୁଣାଣି ଚାଲିଥିବାରୁ ଜାମିନ ଆବେଦନକୁ ଆମେ ଗ୍ରହଣ କରିବୁ ନାହିଁ।
ଚାଇନା ନାଗରିକଙ୍କ ପକ୍ଷରୁ ଓକିଲ ପିଏନ୍ ପୁରୀ କହିଛନ୍ତି ଯେ ଅଭିଯୁକ୍ତ ୧୮ ମାସରୁ ଅଧିକ ସମୟ ଧରି ଜେଲରେ ଅଛି। ଅଦାଲତ କହିଛନ୍ତି ଯେ ଅଭିଯୁକ୍ତ ୬ ମାସ ପରେ ନୂତନ ଜାମିନ ଆବେଦନ କରିପାରିବେ, ଯାହା ହାଇକୋର୍ଟଙ୍କ ମନ୍ତବ୍ୟରେ ପ୍ରଭାବିତ ନ ହୋଇ ଯୋଗ୍ୟତା ଆଧାରରେ ନିଷ୍ପତ୍ତି ନିଆଯାଇପାରିବ।
ଠକେଇ, ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ସମେତ ଅନ୍ୟାନ୍ୟ ଅପରାଧରେ ରୁଜୁ ହୋଇଥିବା ଏଫଆଇଆର ରେନ ଚାଓଙ୍କୁ ୨୦୨୨ ଜୁଲାଇ ୯ ରେ ନୋଏଡା ପୁଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ବିଦେଶୀ (ସିଭିଲ୍) ଆକ୍ଟ ଅନୁଯାୟୀ ମଧ୍ୟ ମାମଲା ରୁଜୁ ହୋଇଥିଲା। ଚୀନ୍ ନାଗରିକ ଜାଲିଆତି କରି ଭିସା ଅବଧି ବଢ଼ାଇ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ପଞ୍ଚତାରକା ହୋଟେଲରେ ଚଢ଼ାଉ ବେଳେ ବିଏମ୍ଡବ୍ଲ୍ୟୁ କାର୍, ଆଧାରକାର୍ଡ, ଏଟିଏମ୍ କାର୍ଡ, ଲାପଟପ୍, ମୋବାଇଲ୍ ଫୋନ୍ ଓ ପାସପୋର୍ଟ ସମେତ ଅନେକ ସାମଗ୍ରୀ ଜବତ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଭୋଟ୍ ଦେବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ମତଦାତା