ଶ୍ରୀନଗର: ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଛି। ବୁଧବାର ସକାଳ ୭ଟାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନ ପାଇଁ ମତଦାନ ଚାଲିଛି। ଭୋଟ୍ ଦେବା ପାଇଁ ସକାଳୁ ବହୁ ସଂଖ୍ୟାରେ ଲୋକ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳୁଛି। ୨୪ଟି ଆସନରେ ଥିବା ଅନେକ ବରିଷ୍ଠ ବ୍ୟକ୍ତିଙ୍କ ଭାଗ୍ୟ ଆଜି ଇଭିଏମ୍ ରେ କଏଦ ହେବ।
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେଉଛି। ନିର୍ବାଚନକୁ ନେଇ ରାଜନୈତିକ ଦଳ ତଥା ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଆସନଗୁଡ଼ିକରେ କଂଗ୍ରେସ-ଏନସି ମେଣ୍ଟ, ପିଡିପି ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ନିର୍ବାଚନକୁ ଆକର୍ଷଣୀୟ କରୁଛନ୍ତି।
ଜମ୍ମୁ-କଶ୍ମୀରରେ ସକାଳ ୯ଟା ସୁଦ୍ଧା ପ୍ରାୟ ୧୧.୧୧ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ଅନନ୍ତନାଗ ଜିଲ୍ଲାରେ ୧୦.୨୬ ପ୍ରତିଶତ, ଡୋଡା ଜିଲ୍ଲାରେ ୧୨.୯୦ ପ୍ରତିଶତ, କିସ୍ତୱାର ଜିଲ୍ଲାରେ ୧୪.୮୩ ପ୍ରତିଶତ, କୁଲଗାମ ଜିଲ୍ଲାରେ ୧୦.୭୭ ପ୍ରତିଶତ, ପୁଲୱାମା ଜିଲ୍ଲାରେ ୯.୧୮ ପ୍ରତିଶତ, ରାମବନ ଜିଲ୍ଲାରେ ୧୧.୯୧ ପ୍ରତିଶତ ଏବଂ ସୋପିଆନ୍ ଜିଲ୍ଲାରେ ୧୧.୪୪ ପ୍ରତିଶତ ମତଦାନ ହୋଇଛି।
ଅଧିକ ପଢ଼ନ୍ତୁ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଯୁବକଙ୍କୁ ଛୁରୀରେ ଆକ୍ରମଣ