ମେକ୍ସିକୋ ସିଟି: ଆମେରିକୀୟ ସହର ‘ମେକ୍ସିକୋ’ ନିକଟରେ ଶନିବାର ଏକ ବଡ଼ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମେକ୍ସିକୋର କେନ୍ଦ୍ରୀୟ ରାଜ୍ୟ ଜାକାଟେକାସ୍ରେ ଏକ ବସ୍ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ବସ୍ଟି ପଛପଟୁ ଏକ ମକା ବୋଝେଇ ଟ୍ରାକ୍ଟର-ଟ୍ରଲର ସହ ଧକ୍କା ଖାଇଥିଲା।
ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ି ଖାଲକୁ ଖସି ପଡ଼ିଥିଲା। ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ଉଦ୍ଧାରକାରୀ ଦଳ ଓ ସେନା କର୍ମଚାରୀଙ୍କ ସମେତ ସୁରକ୍ଷା ବାହିନୀ ଏହି ଅଞ୍ଚଳର ସୁରକ୍ଷା କରୁଥିବା ବେଳେ ଉଦ୍ଧାରକାରୀ ଦଳ ମୃତଦେହ ଉଦ୍ଧାର ପାଇଁ କାର୍ଯ୍ୟ କରୁଛନ୍ତି।
ଜାକାଟେକାସ୍ ଗଭର୍ଣ୍ଣର ଡେଭିଡ୍ ମୋନରିଏଲ ପ୍ରଥମେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ, କିନ୍ତୁ ପରେ ରାଜ୍ୟ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଏକ ବିବୃତିରେ ଏହି ସଂଖ୍ୟାକୁ ସଂଶୋଧନ କରି କହିଛି ଯେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମାତ୍ର ୬ ଜଣ ଆହତ ହୋଇଛନ୍ତି।
ଟ୍ରାକ୍ଟର ଟ୍ରଲର ଚାଳକଙ୍କୁ ଗିରଫ କରିବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜଣେ ସ୍ଥାନୀୟ ସରକାରୀ ଅଧିକାରୀ ରଏଟର୍ସକୁ କହିଛନ୍ତି ଯେ ଖାଲରେ ପଡ଼ିଥିବା କିଛି ମୃତଦେହକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଇସ୍ରାଏଲ ଆକ୍ରମଣକୁ ନେଇ ଏମିତି ପ୍ରତିକ୍ରିୟା ଦେଲା ଇରାନ