ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଆଇନ ପ୍ରବର୍ତ୍ତନ କାରୀ ଏଜେନ୍ସିମାନେ ୧୬ ଜଣ ଭ୍ଲଗର ଓ ଟିକ୍ଟକରଙ୍କୁ ଗିରଫ କରିଛନ୍ତି। ପଞ୍ଜାବ ପୁଲିସର ବରିଷ୍ଠ ଅଧିକାରୀ ଇମ୍ରାନ୍ କିଶ୍ୱର ଶନିବାର କହିଛନ୍ତି ଯେ ଭଙ୍ଗାରୁଜା ଓ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୪୦ ଜଣ ଛାତ୍ରଙ୍କୁ ପୁଲିସ ଚିହ୍ନଟ କରିଛି।
ମିଥ୍ୟା ଦୁଷ୍କର୍ମ ଖବର ପ୍ରଚାରିତ ହେବା ପରେ ପଞ୍ଜାବ ପ୍ରଦେଶରେ ବିକ୍ଷୋଭ ଆରମ୍ଭ ହେବାର ସପ୍ତାହକ ପରେ ଏହି ହିଂସା କାଣ୍ଡ ଘଟିଛି। ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍ଆଇଏ) ଏବଂ ସ୍ଥାନୀୟ ପୁଲିସ ଦୁଷ୍କର୍ମ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ୧୬ ଜଣଙ୍କୁ ଗିରଫ କରିଛନ୍ତି। ଭଙ୍ଗାରୁଜା ଓ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।
ଏହି ଘଟଣା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରିବା ପାଇଁ ବ୍ୟବହୃତ ୧୩୮ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ଆମେ ବ୍ଲକ୍ କରିଛୁ। ଲାହୋରର ଏକ ମହିଳା ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସୁରକ୍ଷା କର୍ମୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ପଞ୍ଜାବ ପ୍ରଦେଶର ବିଭିନ୍ନ ସହରରେ ହିଂସାତ୍ମକ ବିକ୍ଷୋଭରେ ଅତି କମରେ ୫୦ ଜଣ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ପୁଲିସ ୬୦୦ରୁ ଅଧିକ ଛାତ୍ରଙ୍କୁ ଅଟକ ରଖିଛି।
ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶର ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲାରେ ଶନିବାର ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୬ ଜଣ ସୁରକ୍ଷାକର୍ମୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେହି ପ୍ରଦେଶର ବାନୁ ଜିଲ୍ଲାରେ ଆତଙ୍କବାଦୀମାନେ ପୁଲିସ ପାଟ୍ରୋଲିଂ ଭ୍ୟାନ୍ ଉପରେ ଆକ୍ରମଣ କରିଥିଲେ ଏବଂ ପରବର୍ତ୍ତୀ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀମାନେ ନଓ୍ଵାଗି ଅଞ୍ଚଳରେ ଥିବା ପୁଲିସ ଓ ଫ୍ରଣ୍ଟିୟର କର୍ପସର ମିଳିତ ପୋଷ୍ଟ ଉପରେ ମଧ୍ୟ ଆକ୍ରମଣ କରିଥିଲେ।
ଆଫଗାନିସ୍ତାନ ସୀମାରେ ଥିବା ମୀର ଅଲ୍ଲୀ ତହସିଲରେ ଥିବା ଅସଲମ ଚେକ୍ ପୋଷ୍ଟ ଏବଂ ସୁରକ୍ଷା ବାହିନୀର ଗାଡିକୁ ଅଟୋବାହୀ ଆତ୍ମଘାତୀ ଆକ୍ରମଣକାରୀମାନେ ଧକ୍କା ଦେଇଥିଲେ। ଏହି ବିସ୍ଫୋରଣରେ ୪ ଜଣ ପୁଲିସ କର୍ମଚାରୀ, ୨ ଜଣ ଯବାନ ଓ ୨ ଜଣ ସାଧାରଣ ନାଗରିକପ୍ରାଣ ହରାଇଥିଲେ। ଅନ୍ୟ ଆହତମାନଙ୍କୁ ମୀରାନ ଶାହା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ଡିଜିଟାଲ ଗିରଫ ଚିନ୍ତାର ବିଷୟ: ପ୍ରଧାନମନ୍ତ୍ରୀ ମୋଦୀ