ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଭାରତୀୟ ସେନାକୁ ଏକ ବଡ଼ଧରଣର ସଫଳତା ମିଳିଛି। ଜମ୍ମୁ-କଶ୍ମୀରର ପୁଞ୍ଛରେ ଥିବା ଏକ ପାକିସ୍ତାନୀ ଆତଙ୍କବାଦୀ ଆଶ୍ରୟସ୍ଥଳୀର ପର୍ଦ୍ଦାଫାସ କରିଛି ଭାରତୀୟ ସେନାର ରୋମିଓ ଫୋର୍ସ। ସେନାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ପୁଲିସ ସହ ସମନ୍ୱୟ ରକ୍ଷା କରି କାମ କରୁଥିଲା।
ଏହି ଅପରେସନ୍ ସମୟରେ ସେନା ଏହି ଆଶ୍ରୟସ୍ଥଳରୁ ୨ଟି ଗ୍ରେନେଡ୍ ଓ ୩ଟି ପାକିସ୍ତାନୀ ଲ୍ୟାଣ୍ଡମାଇନ୍ ଜବତ କରିଛି। ଏଥିରେ ଏହି ଅଞ୍ଚଳରେ ସାମ୍ପ୍ରତିକ ବିପଦ ବିଷୟରେ ମଧ୍ୟ ସୂଚନା ପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରର ଟାଙ୍ଗମାର୍ଗ ଏବଂ ବିଭିନ୍ନ ଅଞ୍ଚଳରେ କର୍ତ୍ତୃପକ୍ଷ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଭାରତୀୟ ସେନାର ଲକ୍ଷ୍ୟ ହେଉଛି ନିକଟରେ ଗୁଲମାର୍ଗ, ବାରାମୁଲ୍ଲା ଏବଂ ଗଣ୍ଡରବାଲ ଜିଲ୍ଲାର ଗଗନଗିରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସନ୍ଦିଗ୍ଧମାନଙ୍କୁ ଠାବ କରିବା।
ନିକଟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ଅକ୍ଟୋବର ୨୪ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସେନାର ଏକ ଗାଡ଼ିକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ। ଏହାବ୍ୟତୀତ ସେହି ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।
ଅକ୍ଟୋବର ୨୦ରେ ଆତଙ୍କବାଦୀମାନେ ଶ୍ରୀନଗର-ଲେହ ଜାତୀୟ ରାଜପଥର ଏକ ସୁଡ଼ଙ୍ଗ ସ୍ଥଳରେ ଜଣେ ଡାକ୍ତର ଏବଂ ୬ ଜଣ ଶ୍ରମିକଙ୍କୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ପରେ ତଦନ୍ତକାରୀ ସଂସ୍ଥା ସକ୍ରିୟ ହୋଇଛନ୍ତି।
ଏହି ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଏବଂ ଶିବିରଗୁଡ଼ିକର ସୁରକ୍ଷା ପ୍ରୋଟୋକଲକୁ ତୁରନ୍ତ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ବ୍ୟାପକ ସୁରକ୍ଷା ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିରନ୍ତର ପାଟ୍ରୋଲିଂ ଓ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଛି।
ଅଧିକ ପଢ଼ନ୍ତୁ: ଜୀବନ ହାରିଦେଲେ ପୂର୍ବତନ ଡିଜିପିଙ୍କ ପୁଅ